Image Courtesy of Zee News
ମୁମ୍ବାଇ: ସେବା ନିବୃତ ହେବା ପରେ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିରାଟ’ ଶନିବାର ଦିନ ମୁମ୍ବାଇର ନେଭାଲ୍ ଡକ୍ୟାର୍ଡରୁ ବାହାରି ଗୁଜରାଟର ଜାହାଜଭଙ୍ଗା ୟାର୍ଡ ଅଭିମୁଖେ ଯାତ୍ରା କରିଛି। ସେଠାରେ ଏହାକୁ ଖୋଲାଯାଇ କବାଡ଼ିଆ ସାମଗ୍ରୀ ଭାବେ ବିକ୍ରୟ କରାଯିବ।
ଦ୍ବିତୀୟ ‘ସେଣ୍ଟାଉର୍-କ୍ଲାସ୍’ ବିମାନବାହୀ ‘ଆଇଏନ୍ଏସ୍ ବିରାଟ’ ୩୦ ବର୍ଷ ଧରି ନୌସେନାରେ ଓ ୨୭ ବର୍ଷ ଧରି ରୟାଲ୍ ନେଭିରେ କାର୍ଯ୍ୟ କରିଛି। ଅଗଷ୍ଟ ୨୦୧୭ରେ ଏହାକୁ ସେବାନିବୃତ କରାଯାଇଥିଲା।
ବିଶ୍ବର ସବୁଠୁ ଅଧିକକାଳ ସେବା ଯୋଗାଇଥିବା ଯୁଦ୍ଧପୋତ ଭାବେ ‘ଆଇଏନ୍ଏସ୍ ବିରାଟ’ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଗୋଟିଏ ମିନିଟ୍ର ଭିଡିଓ ସହ ଭାରତୀୟ ନୌସେନା ଟୁଇଟ୍ କରି ‘ଆଇଏନ୍ଏସ୍ ବିରାଟ’ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।
Image Courtesy of Hindustan Timesଗତ ତିନି ଦଶନ୍ଧିରେ ଏହି ଯୁଦ୍ଧପୋତରୁ କେତେକ ବିମାନ ୨୨, ୬୨୨ ଘଣ୍ଟାରୁ ଅଧିକକାଳ ଉଡ଼ିଛନ୍ତି। ୧୦, ୯୪, ୨୧୫ କିଲୋମିଟର ଜଳଯାତ୍ରା କରି ଏହା ସମୁଦ୍ର ମଧ୍ୟରେ ୨,୨୫୨ ଦିନ ବିତାଇଛି। ଏହି ହିସାବରେ ବିଚାର କଲେ ୨୭ ଥର ବିଶ୍ବ ପରିକ୍ରମା କରି ‘ବିରାଟ’ ସମୁଦ୍ରରେ ସାତ ବର୍ଷ ବିତାଇଛି।
୧୯୮୯ରେ ଶ୍ରୀଲଙ୍କା ଶାନ୍ତିରକ୍ଷା ଅଭିଯାନ ‘ଅପରେସନ୍ ଜୁପିଟର୍’ରେ ବିରାଟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହାପରେ ୧୯୯୦ରେ ବିରାଟକୁ ଘରୱାଲ୍ ରାଇଫଲ୍ସ ଏବଂ ସ୍କାଉଟ୍ସ୍ ଅଫ୍ ଇଣ୍ଡିଆନ୍ ଆର୍ମିରେ ଅନୁବନ୍ଧିତ କରାଯାଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାର ‘ଏକ୍ସର୍ସାଇଜ୍ ମାଲାବାର’, ଫ୍ରାନ୍ସ୍ରେ ଏକ୍ସର୍ସାଇଜ୍ ବରୁଣ’, ଓମାନ ନେଭିରେ ‘ନସୀମ୍-ଅଲ୍-ବାହାର’ ଭଳି କେତେକ ମିଳିତ ଆନ୍ତର୍ଜାତିକ ସମରାଭ୍ୟାସରେ ବିରାଟ ଅଂଶଗ୍ରହଣ କରିଥିଲା।
Follow Us