ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍କୁ ବିଗତ ଏକ ଦଶନ୍ଧି ଧରି ସେବା କରିଥିବା ବୋଲିଂ ଅଲରାଉଣ୍ଡର୍ ଦୀପକ ବେହେରା ଗୁରୁବାର ଅପ୍ରତ୍ୟାଶିତ ଭାବେ ସବୁ ଫର୍ମାଟ୍ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ଦୀପକଙ୍କ ଅବସର ସୂଚନା ଦିଆଯାଇଛି। ‘କୌଣସି ଅବସୋସ ରହିନାହିଁ, ବୟସ ହୋଇଗଲାଣି, ଏବେ ଜୁନିୟର୍ ପିଲାଙ୍କ ପାଇଁ ବାଟ ଛାଡ଼ିଦେବାକୁ ଉଚିତ୍ ମଣିଲି। ନୂଆ ପିଲାଙ୍କୁ ପ୍ରଶିକ୍ଷଣ ଦେବା ସହ ଭବିଷ୍ୟତରେ ଓଡ଼ିଶା ଦଳର ପ୍ରଶିକ୍ଷକ ହେବାର ଲକ୍ଷ୍ୟ ରଖିଛି’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ୩୬ ବର୍ଷୀୟ ଦୀପକ। ଦୀର୍ଘ ୧୨ ବର୍ଷ ଧରି ଓଡ଼ିଶା ପାଇଁ ଖେଳିଥିବା ଦୀପକ ୪୫ ପ୍ରଥମ ଶ୍ରେଣୀ ମ୍ୟାଚ୍, ୪୭ ଲିଷ୍ଟ ‘ଏ’ ଏବଂ ୩୯ ଟି-୨୦ ଖେଳି ଯଥାକ୍ରମେ ୧୦୨, ୫୧, ୨୮ ୱିକେଟ୍ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ସର୍ବୋଚ୍ଚ ବ୍ୟକ୍ତିଗତ ୬୭ ରନ୍ ଓ ୩ ଅର୍ଦ୍ଧଶତକ ସହ ମୋଟ ୧୦୭୯ ରନ୍ କରିଥିଲେ। ୨୦୧୪-୧୫ ଋତୁରେ ସର୍ବାଧିକ ୩୫ ୱିକେଟ୍ ନେଇ ସେ ଭାରତର ଶୀର୍ଷ ୫ ବୋଲରଙ୍କ ଭିତରେ ସାମିଲ ହୋଇଥିଲେ। ଦୀପକଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ବୋଲିଂ ଚିତ୍ର ଥିଲା ୬/୩୭।
ଦୀପକ ବେହେରାଙ୍କ ଅବସର
Advertisment
Follow Us