Image Courtesy of Hindustan Times
ତେହେରାନ୍: ଇରାନ୍ର ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର୍ ଜେନେରାଲ୍ ଅମିର ହାତାମିଙ୍କ ସହ ତାଙ୍କ ବୈଠକ ଖୁବ୍ ଫଳପ୍ରଦ ହୋଇଥିବା କଥା ରବିବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆଫଗାନିସ୍ତାନ ସମସ୍ୟା ସମେତ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ଏବଂ ଆଞ୍ଚଳିକ ନିରାପତ୍ତା ସମସ୍ୟାର ସମାଧାନ ସମ୍ବନ୍ଧରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କଥା ସେ କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ବୈଠକରେ ଯୋଗ ଦେବା ପରେ ତିନିଦିନିଆ ରୁଷ୍ ଗସ୍ତ ଶେଷ କରି ମସ୍କୋରୁ ଫେରିବା ବାଟରେ ସିଂହ ତେହେରାନ୍ରେ ପହଞ୍ଚିଥିଲେ। ମସ୍କୋରେ ମଧ୍ୟ ସେ ରୁଷ୍, ଚୀନ୍ ଓ କେନ୍ଦ୍ରୀୟ ଏସୀୟ ଦେଶମାନଙ୍କର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ।
ମସ୍କୋରୁ ଦିଲ୍ଲୀ ଫେରିବା ବାଟରେ ଶନିବାର ରାତିରେ ଇରାନ୍ର ରାଜଧାନୀ ତେହେରାନ୍ରେ ସ୍ବଳ୍ପକାଳୀନ ରହଣି ସମୟରେ ରାଜନାଥ ସିଂହ ଇରାନ୍ର ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ୨୦ ମିନିଟ୍କାଳ ଆଲୋଚନା କରିଥିଲେ। ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକରେ ଉଭୟ ନେତା ଭାରତ ଓ ଇରାନ ମଧ୍ୟରେ ଥିବା ପ୍ରାଚୀନ ସାଂସ୍କୃତିକ, ଭାଷାଗତ ଏବଂ ସଭ୍ୟତା ସମ୍ବନ୍ଧୀୟ ସମ୍ପର୍କ ଉପରେ ଗୁରୁତ୍ବାରୋପ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କାର୍ଯ୍ୟାଳୟ ଏକ ବିବୃତିରେ କହିଛି।
Follow Us