Image Courtesy of NDTV
ନୂଆଦିଲ୍ଲୀ: ଯୁଦ୍ଧ ସାମର୍ଥ୍ୟ ବୃଦ୍ଧି କରିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣସ୍ବରୂପ ୭,୫୨୩ କୋଟି ଟଙ୍କା ବିନିମୟରେ ଭାରତୀୟ ସେନା ପାଇଁ ୧୧୮ଟି ‘ମେନ୍ ବ୍ୟାଟଲ୍ ଟ୍ୟାଙ୍କ୍’ (ଏମ୍ବିଟି) ‘ଅର୍ଜୁନ’ ଖରିଦ କରିବା ଲାଗି ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ରାଜିନାମା କରିଥିବା କଥା ଏକ ବିବୃତିରେ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଉପରୋକ୍ତ ‘ଅର୍ଜୁନ ଏମ୍କେ-୧ ଏ’ କମାଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ଚେନ୍ନାଇ ଅନ୍ତର୍ଗତ ‘ହେଭି ଭେଇକ୍ଲ୍ ଫ୍ୟାକ୍ଟ୍ରି’କୁ (ଏଚ୍ଭିଏଫ୍) ବରାଦ ଦେଇଛି।
ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୭,୫୨୩ କୋଟି ଟଙ୍କାର ଏହି ବରାଦ ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟମକୁ ଅଧିକ ଅଗ୍ରସର କରାଇବ। ଏହା ‘ଆତ୍ମନିର୍ଭର ଭାରତ’ ହାସଲ କରିବା ଦିଗରେ ମଧ୍ୟ ଗୋଟାଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
Image Courtesy of Business Upturn‘ଏମ୍ବିଟି ଏମ୍କେ-୧ଏ’ ହେଉଛି ନୂଆ ପ୍ରକାରର ‘ଅର୍ଜୁନ ଟ୍ୟାଙ୍କ୍’ ବା କମାଣା। ଏହାର ତୋପ ବର୍ଷଣ କ୍ଷମତା ଓ ଚଳପ୍ରଚଳ କ୍ଷମତା ବୃଦ୍ଧି କରାଯିବା ସହ ବିପଜ୍ଜନକ ପରିସ୍ଥିତିରେ ତିଷ୍ଠି ରହିବା ନିମନ୍ତେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି। ଏଥିରେ ସଂଯୋଗ କରାଯାଇଛି ୭୨ଟି ନୂତନ ବୈଶିଷ୍ଟ୍ୟ। ଏଥିରେ ବ୍ୟବହୃତ ସ୍ବଦେଶୀ ବୈଷୟିକ ଜ୍ଞାନକୌଶଳ ‘ଏମ୍କେ-୧’ କିସମ କମାଣ ଠାରୁ ଅଧିକ।
ଉପରୋକ୍ତ କମାଣ ସବୁପ୍ରକାର ଭୂଇଁରେ ଅନାୟାସରେ ଚଳାଚଳ କରିବା ସହ ଦିନ ଓ ରାତିରେ ସମାନ ଧରଣର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ସମ୍ପ୍ରତି ଭାରତୀୟ ସେନାରେ ନିୟୋଜିତ ହୋଇଥିବା ମୁଖ୍ୟ ଯୁଦ୍ଧ କମାଣ ‘ଅର୍ଜୁନ ଏମ୍ବିଟି’ରେ ବ୍ୟାପକ ଉନ୍ନତିକରଣ କରି ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ଏହାର ‘ଡିଜାଇନ୍’ ଓ ବିକାଶ କରିଛି।
‘ହେଭି ଭେଇକ୍ଲ୍ ଫ୍ୟାକ୍ଟ୍ରି’କୁ ଦିଆଯାଇଥିବା କମାଣ ଉତ୍ପାଦନ ବରାଦ ଯୋଗୁଁ ‘ଏମ୍ଏସ୍ଏମ୍ଇ’ ସମେତ ୨୦୦ରୁ ଅଧିକ ଉଦ୍ୟୋଗ ଉପକୃତ ହେବା ସହ ୮,୦୦୦ ବ୍ୟକ୍ତି କର୍ମସଂସ୍ଥାନ ସୁଯୋଗ ପାଇବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
Follow Us