ନୂଆଦିଲ୍ଲୀ: ଶନିବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ କେବଳ ରାସ୍ତାଘାଟରେ ନୁହେଁ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରର ଏଭଳି ଫଟୋ ସାମ୍ନାକୁ ଆସିଛି। ବର୍ଷାର ପରିମାଣ ଅଧିକ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର କିଛି ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି।
ଦିଲ୍ଲୀ ବିମାନବନ୍ଦର ଭିତରେ ଗୋଳିଆ ପାଣି ପଶିବା ଦେଖି ବର୍ଷା କେତେ ପରିମାଣରେ ହୋଇଥିବ, ତାହାର ଅନୁମାନ କରାଯାଇପାରୁଛି। ତେବେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ବର୍ତ୍ତମାନ ପାଣି ନିଷ୍କାସିତ ହୋଇଛି ଏବଂ ଏବେ ବିମାନବନ୍ଦରରେ ଆଉ ପାଣି ନାହିଁ। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ଟୁଇଟ୍ରେ କୁହାଯାଇଛି ଯେ, "ହଠାତ୍ ପ୍ରବଳ ବର୍ଷା ହେତୁ ଅଳ୍ପ ସମୟ ପାଇଁ ଦିଲ୍ଲୀ ବିମାନବନ୍ଦର ଭିତରେ ପାଣି ଜମି ରହିଥିଲା। ଆମ ଟିମ ତୁରନ୍ତ ପାଣିକୁ ନିଷ୍କାସିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ‘ସଫ୍ଦରଗଞ୍ଜ୍ ଅବଜର୍ଭେଟରି’ ୧,୧୦୦ ମିଲିମିଟର୍ ବର୍ଷା ରେକର୍ଡ କରିଛି। ଫଳରେ ୨୦୦୩ରେ ୧,୦୫୦ ମିଲିମିଟର୍ ବୃଷ୍ଟିପାତ ହୋଇ ଯେଉଁ ମୌସୁମୀ ବର୍ଷା ରେକର୍ଡ ସୃଷ୍ଟି ହୋଇଥିଲା ତାହା ଆଜି ଭାଙ୍ଗିଯାଇଛି।
ମୌସୁମୀ ବାୟୁ ପ୍ରବାହଜନିତ ବର୍ଷକାଳ ଶେଷ ହୋଇ ନ ଥିଲେ ମଧ୍ୟ ଆଜି ଦିଲ୍ଲୀରେ ହୋଇଥିବା ବୃଷ୍ଟିପାତ ୧୯୭୫ ମସିହା ପରଠାରୁ ଏଯାବତ୍ ରେକର୍ଡ କରାଯାଇଥିବା ବୃଷ୍ଟିପାତ ଠାରୁ ସର୍ବାଧିକ ବୋଲି ଜଣାପଡ଼ିଛି। ୧୯୭୫ ମସିହାରେ ଦିଲ୍ଲୀରେ ୧,୧୫୦ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ସେହିପରି, ୨୦୧୦ରେ ମଧ୍ୟ ଦିଲ୍ଲୀରେ ୧୦୦୦ ମିଲିମିଟର୍ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଥିଲା।
Follow Us