ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ହାଇଭୋଲ୍ଟେଜ୍ ଡ୍ରାମା ହୋଇଛି। ଉପରାଜ୍ୟପାଳ ଭିକେ ସକ୍ସେନା ଆଜି ଗୃହରେ ଭାଷଣ ରଖିବା ସମୟରେ ଆପ୍ ବିଧାୟକମାନେ ସ୍ଲୋଗାନ୍ ଦେଇ ପ୍ରବଳ ହଟ୍ଟଗୋଳ କରିବାରୁ ସେମାନଙ୍କୁ ଗୃହରୁ ମାର୍ସାଲ୍ ଲଗାଇ ବାହାର କରାଯାଇଛି। ବିରୋଧୀ ଦଳ ନେତା ଆତିଶୀ ଏବଂ ବିଧାୟକ ଗୋପାଳ ରାୟଙ୍କ ସମେତ ୧୨ ଜଣ ବିଧାୟକ ଗୃହରୁ ନିଲମ୍ବିତ ହୋଇଛନ୍ତି।
ଦିଲ୍ଲୀ ବାଚସ୍ପତି ବୀଜେନ୍ଦ୍ର ଗୁପ୍ତା ୧୨ ବିଧାୟକଙ୍କୁ ଦିନକ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଗୃହରୁ ନିଲମ୍ବିତ ହୋଇଥିବା ଅନ୍ୟ ଆପ୍ ବିଧାୟକମାନେ ହେଉଛନ୍ତି ବୀର ସିଂହ ଢିଙ୍ଗନ, ମୁକେଶ ଅହଲାୱତ, ଚୌଧୁରୀ ଜୁବେର ଅହମଦ, ଅନୀଲ ଝା, ବିଶେଷ ରବି ଏବଂ ଜର୍ନେଲ୍ ସିଂହ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ଆମ୍ବେଦକରଙ୍କ ଫଟୋ ହଟାଇ ତାଙ୍କୁ ବିଜେପି ଅସମ୍ମାନ କରିଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି। ଆଜି ଗୃହରୁ ନିଲମ୍ବିତ ହେବାପରେ ବିଧାୟକମାନେ ବିଧାନସଭା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବାବାସାହେବ କା ଅପମାନ ନେହି ସହେଗା ହିନ୍ଦୁସ୍ତାନ’ ଏବଂ ‘ଜୟ ଭୀମ’ ସ୍ଲୋଗାନ ଦେଇ ସେମାନେ ବିକ୍ଷୋଭ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ଆତିଶୀଙ୍କ ନେତୃତ୍ବରେ ଆଜି ଆପ୍ ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଫିସ ବାହାରେ ଆନ୍ଦୋଳନ କରିଛନ୍ତି। ମହିଳାଙ୍କୁ ବିଜେପି ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବା ଦାବିରେ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅନ୍ୟପକ୍ଷେ ମନ୍ତ୍ରୀ ଆଶିଷ ସୁଦ ଦାବି କରିଛନ୍ତି ଯେ ଆପ୍ ଦୁର୍ନୀତି ଉପରୁ ନଜର ହଟାଇବାପାଇଁ ଚେଷ୍ଟା କରୁଛି। ସିଏଜି ରିପୋର୍ଟ ଆପ୍ର କେଳେଙ୍କାରୀ ପର୍ଦ୍ଦାଫାସ କରିବ ବୋଲି ସେ କହିଛନ୍ତି। ବିଜେପି ମଧ୍ୟ ରେଖା ଗୁପ୍ତାଙ୍କ ଅଫିସ୍ର କିଛି ଫଟୋ ଜାରି କରିଛି। ଏଥିରେ ଆମ୍ବେଦକର, ଭଗତ ସିଂହ, ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି।
Follow Us