Representational
ରାଞ୍ଚି/ ଭୁବନେଶ୍ବର: ରେଳ ଧାରଣା ଉଡ଼ାଇଲେ ନକ୍ସଲ। ଗତକାଲି ରାତିରେ ଝଡଖଣ୍ଡର ଗିରିଡିହ ନିକଟରେ ବୋମା ବିସ୍ଫୋରଣ କରି ନକ୍ସଲମାନେ ଦିଲ୍ଲୀ-ହାୱଡା ରେଳମାର୍ଗରେ ଥିବା ରେଳ ଧାରଣାକୁ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏହି କାରଣରୁ, ଏହି ମାର୍ଗରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସ ସମେତ ଅନେକ ଟ୍ରେନ୍ ଅନ୍ୟ ରୁଟରେ ଚଳାଚଳ କରୁଛି। ଏହା ସହ କିଛି ଟ୍ରେନ୍ ଅଟକି ରହିଥିବା ଜଣାପଡ଼ିଛି।
ରେଳ ଧାରଣା ନଷ୍ଟ ହେବା ପରେ ଏବେ ଟ୍ରେନ୍ ନମ୍ବର ୨୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ, ୧୨୩୧୪ ନୂଆଦିଲ୍ଲୀ-ସିଆଲଦା ରାଜଧାନୀ ଏକ୍ସପ୍ରେସ ଏବଂ ୧୨୩୦୨ ନୂଆଦିଲ୍ଲୀ-ହାୱଡା ରାଜଧାନୀ ଏକ୍ସପ୍ରେସର ଗତିପଥ ବଦଳିଛି। ଏହି ସବୁ ଟ୍ରେନ୍ ଡିଡିୟୁ-ଗୟା-ପ୍ରଧାନଖଣ୍ଟା ପରିବର୍ତ୍ତେ ଡିଡିୟୁ-ପାଟନା-ଝାଝା ମାଧ୍ୟମରେ ଚଳାଚଳ କରିବ। ସେହିଭଳି ବିହାର-ପୁରୀ ଏକ୍ସପ୍ରେସର ମଧ୍ୟ ରୁଟ୍ ବଦଳିଥିବା ଜଣାପଡ଼ିଛି। ୧୨୮୧୬ ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସକୁ କୋଡେର୍ମା-ନେସୁଚବୋ ଗୋମୋ ପରିବର୍ତ୍ତେ ହଜରିବାଗ ଟାଉନ-ବରକାକାନା ଦେଇ ଚଳାଚଳ କରିବ ବୋଲି ଜଣାଯାଇଛି।ସେହିଭଳି ଟ୍ରେନ୍ ନମ୍ବର ୧୨୩୦୭ ହାୱଡା- ଯୋଧପୁର ଏକ୍ସପ୍ରେସ ପ୍ରଧାନଖଣ୍ଟା-ଗୟା- ଡିଡିୟୁ ପରିବର୍ତ୍ତେ ଝାଝା-ପାଟନା- ଡିଡିୟୁ ଦେଇ ଚଳାଚଳ କରିବ।
ବିସ୍ଫୋରଣରେ ରେଳଧାରଣା ଉଡ଼ାଇବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ଛାଡି ଯାଇଛନ୍ତି | ଏଥିରେ ଜାନୁଆରୀ ୨୧-୨୬ ପର୍ଯ୍ୟନ୍ତ ପ୍ରତିରୋଧ ସଫଳ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି |' ପୂର୍ବ-କେନ୍ଦ୍ରୀୟ ରେଳବାଇର ସି.ଆର.ପି. ରାଜେଶ କୁମାରଙ୍କ ଅନୁଯାୟୀ, ବୁଧବାର-ଗୁରୁବାର ଦିନ ରାତି ୧୨.୩୪ମିନିଟ ସମୟରେ ଧାନବାଦ୍ ଡିଭିଜନର କରାମାବାଦ-ଚିଚାକି ଷ୍ଟେସନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
Follow Us