ଦିଲ୍ଲୀ ବିଧାନସଭା ନିର୍ବାଚନ: ସରିଲା ପ୍ରଚାର ୮ରେ ଭୋଟ୍‌

Advertisment
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଚାର, ଶନିବାର ଭୋଟ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୮ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ। ଚଳିତ ନିର୍ବାଚନରେ ଆପ୍‌ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଊଥିବା ବେଳେ ଉଭୟ ଦଳ ଜୋର୍‌ଦାର ପ୍ରଚାର କରିଛନ୍ତି। କଂଗ୍ରେସ ବି ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଅନେକ ପ୍ରୟାସ କରିଛି। ବିଜେପି ଦିଲ୍ଲୀରେ ଏହାର ୪୦ ତାରକା ପ୍ରଚାରକଙ୍କ ହାତରେ ନିର୍ବାଚନୀ ପ୍ରଚାର କାର୍ଯ୍ୟ ନ୍ୟସ୍ତ କରିଥିବା ବେଳେ ଏଥିରେ ପ୍ରମୁଖ ନେତାଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଆପ୍‌ ବି ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ଆଜି ପ୍ରଚାରର ଶେଷ ଦିବସରେ ଗୃହମନ୍ତ୍ରୀ ଅମିତ ଶାହ ସୀମାପୁରୀ, ହରି ନଗର ଏବଂ ମାଦିପୁର ବିଧାନସଭା ନିର୍ବା‌ଚନମଣ୍ଡଳୀରେ ରୋଡ୍‌ ସୋ କରିଛନ୍ତି। ବିଜେପି ଜାତୀୟ ଅଧ୍ୟକ୍ଷ ‌ଜେ ପି ନଡ୍ଡା ମୁନ୍ଦକା ଏବଂ ସୁଲତାନପୁର ମଜ୍‌ରାରେ ରୋଡ୍‌ସୋ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ନିର୍ବାଚନମଣ୍ଡଳୀରେ ଆଜି ପଦଯାତ୍ରା କରିଛନ୍ତି। ବିଜେପିର ନିର୍ବାଚନୀ ପ୍ରଚାର କାର୍ଯ୍ୟର ନେତୃତ୍ବ ଅମିତ ଶାହ ନେଇଥିବା ବେଳେ ଆପ୍‌ର ନିର୍ବାଚନ ପ୍ରଚାର ନେତୃତ୍ବ ନେଇଥିଲେ କେଜ୍ରିୱାଲ୍‌। ମୋଦୀ ମଧ୍ୟ ଦିଲ୍ଲୀରେ ଲଗାତାର ୩ ଦିନ ଧରି ରୢାଲି କରିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀର ୭୦ ବିଧାନସଭା ଆସନରୁ ବିଜେପି ମାତ୍ର ୩ଟିରେ ଜିତିବାରେ ସଫଳ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଏହା ଅଧିକ ଆସନ ହା‌ତେଇବା ଲକ୍ଷ୍ୟ ରଖିଛି। ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଆପ୍‌ ଗତ ବିଧାନସଭା ନିର୍ବାଚନ‌ରେ ୬୭ ଆସନରେ ଜିତି ରେକର୍ଡ କରିଥିବାରୁ ଚଳିତ ନିର୍ବାଚନରେ ମଧ୍ୟ ଏହା ପୁଣି ଥରେ ବିପୁଳ ବିଜୟ ହାସଲ କରିବାକୁ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe