ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି,ଆପ୍ ଏବଂ କଂଗ୍ରେସ ୧୦ଟି ଭିଆଇପି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ନୂଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜେପିର ପ୍ରଭେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ ଛିଡ଼ା ହୋଇଛନ୍ତି।  କାଲକାଜୀ ଆସନରେ ବିଜେପିର ରମେଶ ବିଧୁଡି ଏବଂ କଂଗ୍ରେସର ଅଲକା ଲାମ୍ବା ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ସହିତ ମୁହାଁମୁହିଁ ହେବେ।

Advertisment

ଭାରତୀୟ ଜନତା ପାର୍ଟି ଦିଲ୍ଲୀ ନିର୍ବାଚନ ପାଇଁ ୨୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜେପିର ପୂର୍ବତନ ସାଂସଦ ପ୍ରଭେଶ ସାହେବ ସିଂ ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରଭେଶ  ସାଂସଦ ରହିସାରିଛନ୍ତି।  ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ।

ପୂର୍ବତନ ସାଂସଦ ରମେଶ ବିଧୁଡିଙ୍କୁ କାଲକାଜୀ ଆସନରୁ ବିଜେପି ପ୍ରାର୍ଥୀ କରିଛି। କାଲକାଜୀ ଆସନରୁ ମୁଖ୍ୟମନ୍ତ୍ରୀ ଆତିଶୀ  ମାର୍ଲେନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ କଂଗ୍ରେସ ଅଲକା ଲାମ୍ବାଙ୍କୁ ଟିକେଟ ଦେଇଛି।

ଏହି ୨ଟି ଆସନ ବ୍ୟତୀତ ଦିଲ୍ଲୀରେ ଆଉ ୮ଟି ଭିଆଇପି ଆସନ ଅଛି। ସେସବୁ ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି |

୨୦୧୩ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ନୂଆଦିଲ୍ଲୀ ଆସନରେ ଆପ୍  ଜିତିଛି । ଆପ୍ ୨୦୧୫ଠାରୁ କଲକାଜୀ ଆସନ ଜିତି ଆସୁଛି।

 ସୋମନାଥ ଭାରତୀ ମାଲବ୍ୟ ନଗର ଆସନରୁ ଆପ୍ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ସତୀଶ ଉପାଧ୍ୟାୟଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଉପାଧ୍ୟାୟ ହେଉଛନ୍ତି ଦିଲ୍ଲୀ ବିଜେପିର ପୂର୍ବତନ ସଭାପତି। କଂଗ୍ରେସ ଏଠାରୁ ଜିତେନ୍ଦ୍ର କୋଚରଙ୍କୁ ଟିକେଟ୍ ଦେଇଛି।

ଆପ୍‌ର ଅଜେଶ ଯାଦବ ବାଦଲି ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଏଠାରୁ ରାଜ୍ୟ ସଭାପତି ଦେବେନ୍ଦ୍ର ଯାଦବଙ୍କୁ ଟିକେଟ୍ ଦେଇଛି। ଦୀପକ ଚୌଧୁରୀ ଏହି ଆସନରୁ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବାଦଲି ୨୦୧୫ ଠାରୁ ଆପ୍ ନିୟନ୍ତ୍ରଣରେ ଅଛି।

 ବିଜେପି ପୂର୍ବତନ ମନ୍ତ୍ରୀ କୈଳାଶ ଗେହଲୋଟଙ୍କୁ ବିଜୱାସନ ଆସନରେ ପ୍ରାର୍ଥୀ  କରିଛି। ସୁରେନ୍ଦ୍ର ଭରଦ୍ୱାଜ ଆପ୍ ପକ୍ଷରୁ  ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ଟିକେଟରେ ଦେବେନ୍ଦ୍ର ଶେରୱାଟ ଏହି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ଆପ୍ ବୀମ ସିଂ ଧିଙ୍ଗନଙ୍କୁ ସେମାପୁରୀ ଆସନରେ ପ୍ରାର୍ଥୀ କରିଛି। ରାଜେଶ ଲିଲୋଥିଆ ଏଠାରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ଏହି ଦଳିତ ସଂରକ୍ଷିତ ଆସନରେ କୁମାରୀ ରିଙ୍କୁଙ୍କୁ ବିଜେପି ଟିକେଟ ଦେଇଛି।

ଆପ୍‌ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜଙ୍ଗପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ଫରହାଟ ସୌରୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ତରଭିନ୍ଦର ସିଂ ମାରୱାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଜଙ୍ଗପୁରା ହେଉଛି ଏକ ମୁସଲମାନ ଏବଂ ଶିଖ୍ ପ୍ରାଧାନ୍ୟ  ଆସନ।

ଅୱଧ ଓଝା ପାପରଗଞ୍ଜ ଆସନରେ ଆପ୍‌ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଜେପି ଏଠାରେ ରବିନ୍ଦ୍ର ନେଗିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଟିକେଟରୁ ଅନିଲ ଚୌଧୁରୀ ମଇଦାନରେ ଅଛନ୍ତି। ଚୌଧୁରୀ କଂଗ୍ରେସର ସଭାପତି ରହିଛନ୍ତି।

କୃଷ୍ଣାନଗର ଆସନ ମଧ୍ୟ ଦିଲ୍ଲୀର ଏକ ହଟ ସିଟ୍ ହୋଇଛି। ବିଜେପି ଅନିଲ ଗୋୟଲଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଗୁରୁଚନ୍ଦ୍ର ରାଜୁ କଂଗ୍ରେସ ଟିକେଟରେ ଏବଂ ବିକାଶ ବଗ୍ଗା ଆପ୍ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ମୋହିନ୍ଦର ଗୋୟଲ ଆପ୍ ଟିକେଟରେ ରିଠାଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ଏଠାରୁ କୁଲୱନ୍ତ ରାଣାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପକ୍ଷରୁ ସୁଶାନ୍ତ ମିଶ୍ର ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅଧିକ ପଢ଼ନ୍ତୁ: ଘାଟି ତଳକୁ ଖସିପଡିଲା ସେନା ଟ୍ରକ, ଦୁଇ ଯବାନଙ୍କର ମୃତ୍ୟୁ

ଦିଲ୍ଲୀରେ ମୋଟ ୭୦ଟି ବିଧାନସଭା ଆସନ ଅଛି। ବର୍ତ୍ତମାନ ବିଜେପି କେବଳ ୨୯ ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। କୁହାଯାଉଛି ଯେ ଦଳ ଖୁବ ଶୀଘ୍ର ୪୧ ଟି ଆସନରେ ପ୍ରାର୍ଥୀ ଦେବ।

ତେବେ ଜେଡିୟୁ ଏବଂ ଏଲଜେପି (ଆର) ପରି ଏନଡିଏର କିଛି ଦଳ ମଧ୍ୟ ଦିଲ୍ଲୀ ଆସନରେ ମଧ୍ୟ ପ୍ରାର୍ଥୀ ଛିଡ଼ା କରାଇବାର ଯୋଜନା କରୁଛନ୍ତି। ୨୦୨୦ରେ, ଜେଡିୟୁ ୨ ଟି ଆସନରେ ଏବଂ ଏଲଜେପି(ଆର୍) ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଅଧିକ ପଢ଼ନ୍ତୁ: ସିଡନୀ ଟେଷ୍ଟ୍‌: ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୪୧/୬