India Today
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୋମବାର ଦିନ ୧୨ଟା ୫୨ମିନିଟ୍ ମଧ୍ୟରେ ୫୩୦ଟି ବିମାନ ବିଳମ୍ବରେ ଉଡ଼ାଣ ଭରିଥିବା ବେଳେ ୨୦ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଏହା ସହ ୪ଟି ବିମାନର ଉଡ଼ାଣକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି।
ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ବର୍ତ୍ତମାନ ରନୱେ ଦୃଶ୍ୟ ସୀମା ୫୦ମିଟର ଓ ୧୭୫ମିଟର ମଧ୍ୟରେ ରହିଛି। ଏହି ଦୃଶ୍ୟ ସୀମା ମଧ୍ୟରେ ଏବେ ବିମାନ ଉଡ଼ାଣ ଭରୁଛି। ସକାଳ ସମୟରେ ଘନ କୁହୁଡ଼ି ଥିବାରୁ ୩୨୦ଟି ବିମାନର ଉଡ଼ାଣ ବିଳମ୍ବ ହୋଇଥିବା ବେଳେ ୨୧୦ଟି ବିମାନ ଅବତରଣରେ ବିଳମ୍ବ ହୋଇଥିଲା।
ଇଣ୍ଡିଗୋ ଏୟାରଲାଇନ୍ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି କି, ଉତ୍ତର ଭାରତରେ ଘନ କୁହୁଡ଼ି ପାଇଁ ଆମ ବିମାନର ଉଡ଼ାଣ ସାରା ଭାରତରେ ପ୍ରଭାବିତ ହୋଇଛି। ଆମେ ଏ ନେଇ ସ୍ଥିତିର ସମୀକ୍ଷା କରିବା ଜାରି ରଖିବା ସହ ଆମ ସୋସିଆଲ ପ୍ଲାଟଫର୍ମରେ ଯାତ୍ରୀମାନଙ୍କୁ ଏହାର ଅପଡେଟ୍ ଦେବୁ। ଏହା ସହ ଯାତ୍ରୀମାନଙ୍କୁ ଅନୁରୋଧ କରୁଛୁ କି, ସେମାନେ ଘରୁ ବାହାରିବା ପୂର୍ବରୁ ବିମାନର ଉଡ଼ାଣର ସମୟ ବିଷୟରେ ଦେଖି ଘରୁ ବାହାରନ୍ତୁ।
ସେହିଭଳି ଭାବରେ ଭିସ୍ତାରା ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି, ଦିଲ୍ଲୀରୁ ମୁମ୍ବାଇ ଯିବାକୁ ଥିବା ବିମାନ ୟୁକେ ୯୩୩ ଓ ମୁମ୍ବାଇରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ୟୁକେ ୯୯୬ର ଉଡ଼ାଣକୁ ଘନ କୁହୁଡ଼ି ପାଇଁ ରଦ୍ଦ କରାଯାଇଛି। ଏହି ଦୁଇ ଏୟାରଲାଇନ୍ ସହ ଗୋଏୟାର, ଏୟାରଏସିୟା ଓ ସ୍ପାଇସଜେଟ୍ ମଧ୍ୟ ଟୁଇଟ୍ କରି ଯାତ୍ରୀମାନଙ୍କୁ ବିମାନର ଉଡ଼ାଣ ସମୟ ଦେଖି ଘରୁ ବାହାରିବା ପାଇଁ ସୂଚନା ଦେଇଛନ୍ତି। ଘନ କୁହୁଡ଼ି ସମସ୍ୟା ପାଇଁ ଅନେକ ବିମାନ ବିଳମ୍ବରେ ଉଡ଼ାଣ ଭରୁଥିବା ବେଳେ ଅନେକ ବିମାନର ଉଡ଼ାଣ ରଦ୍ଦ କରି ଦିଆଯାଉଛି। ଯାହାଦ୍ବାରା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ୁଛି।
Follow Us