‘ତୁମେ ଭାବୁଛ ତୁମେ ସୁପରପାଓ୍ଵାର; ତୁମକୁ କେହି ପ୍ରଶ୍ନ କରିପାରିବେ ନାହିଁ’: ଦିଲ୍ଲୀ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କୁ କଟୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

Advertisment
‘ତୁମେ ଭାବୁଛ ତୁମେ ସୁପରପାଓ୍ଵାର; ତୁମକୁ କେହି ପ୍ରଶ୍ନ କରିପାରିବେ ନାହିଁ’: ଦିଲ୍ଲୀ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କୁ କଟୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲଙ୍କୁ ବେଶ କଟୁ ଶବ୍ଦ ପ୍ରୟୋଗ କରି ଆଜି (ଗୁରୁବାର) ତୀବ୍ର ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌ କୋର୍ଟ। ଦିଲ୍ଲୀ ମହାନଗର ନିଗମର ସମସ୍ତ କ୍ଷମତା ନିଜ ପାଖରେ ରହିଛି ବୋଲି ଦାବି କରୁଥିବା ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲ ଦିଲ୍ଲୀର ଅବର୍ଜନା ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଯାହାର ପରିଣାମ ସ୍ୱରୂପ ରାଜଧାନୀ ଦିଲ୍ଲୀର ବିଭିନ୍ନ ଜନବସତି ଓ ରାଜରାସ୍ତାରେ କୁଢ଼ କୁଢ଼ ଅବର୍ଜନା ପର୍ବତ ପ୍ରମାଣେ ଗଦା ହୋଇ ରହିଛି। ଏବେ ବର୍ଷା ଋତୁ ଆସି ଯାଇଥିବାରୁ ଏହି ଅବର୍ଜନା ଗଦା ଏବେ ଦିଲ୍ଲୀବାସୀଙ୍କ ପାଇଁ ଡେଙ୍ଗୁ, ମ୍ୟାଲେରିଆ ଓ ଚିକେନ୍‌ଗୁନିଆ ଆଦି ରୋଗର କାରଣ ପାଲଟିଛି ବୋଲି ଦର୍ଶାଇଛନ୍ତି ସୁପ୍ରିମ୍‌ କୋର୍ଟ। ତେବେ, ଏଦିଗରେ ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲ ଏବଂ ତାଙ୍କ କାର୍ଯ୍ୟାଳୟ କିମ୍ବା ଦିଲ୍ଲୀ ମହାନଗର ନିଗମ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ନିଜର ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ସୁପ୍ରିମ୍‌ କୋର୍ଟ।

publive-image

ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ ବି ଲୋକୁର ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲଙ୍କୁ ବେଶ କଟୁ ଶବ୍ଦରେ ଭର୍ତ୍ସନା କରି କହିଛନ୍ତି, ‘ତୁମେ କହୁଛ ତୁମର କ୍ଷମତା ଅଛି। କିନ୍ତୁ, ତୁମେ କିଛିବି ହେଲେ କରିବାକୁ ଚାହୁଁ ନାହଁ। ତୁମେ ଭାବୁଛ ତୁମେ ଜଣେ ସୁପରପାଓ୍ଵାର; ମୁଁ ଉତ୍ତରଦାୟୀ, କିନ୍ତୁ ମୋତେ କେହି ପ୍ରଶ୍ନ କରିପାରିବେ ନାହିଁ। ଏ କି ପ୍ରକାରର କଥା?’ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟ।

publive-image

ଏ ପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣି କାଳରେ ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ ଯେତେବେଳେ ଖଣ୍ଡପୀଠଙ୍କୁ କହିଥିଲେ ଯେ ଏସଂପର୍କରେ ସେ କିଛି କହି ପାରିବେ ନାହିଁ, ଯେ ପର୍ଯ୍ୟନ୍ତ ଏମାମଲାରେ କୌଣସି ସଷ୍ଟ ନିର୍ଦ୍ଦେଶ ସେ ପାଇ ନାହାନ୍ତି। ଏପ୍ରକାରର ଉତ୍ତରରେ ଉତକ୍ଷିପ୍ତ ହୋଇ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଥିଲେ, ‘ମହାନଗର ନିଗମ ହେଉଛି ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଉତ୍ତରଦାୟୀ। କିନ୍ତୁ ତୁମେ କହୁଛ, ଏମାମଲାରେ କିଛି କହିପାରିବ ନାହିଁ। ଏମାମଲାରେ ମହାନଗର ନିଗମକୁ କାହିଁକି ପଚରାଯିବ? ଆମକୁ ସିଧା ସିଧା କୁହ ଅବର୍ଜନା କେତେ ଦିନ ମଧ୍ୟରେ ସଫା ହେବ? ତୁମେ ହେଉଛ ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର। ନିଜକୁ କହୁଛ ସର୍ବେସର୍ବା। ତେଣୁ, ଅବର୍ଜନା ସଫାର ଉପାୟ ବାହାର କର ଓ ଶୀଘ୍ର ଦିଲ୍ଲୀକୁ ଅବର୍ଜନା ମୁକ୍ତ କର’ ବୋଲି ଦିଲ୍ଲୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe