ଯଦି ସର୍ଭିସ ଚାର୍ଜ ଦେବାକୁ ଚାହୁଁନାହଁ, ତେବେ ରେସ୍ତୋରାଁରେ ଖାଅନାହିଁ : ଦିଲ୍ଲୀ ହାଇକୋର୍ଟ

Advertisment
ଯଦି ସର୍ଭିସ ଚାର୍ଜ ଦେବାକୁ ଚାହୁଁନାହଁ, ତେବେ ରେସ୍ତୋରାଁରେ ଖାଅନାହିଁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସର୍ଭିସ ଚାର୍ଜ(ସେବା ଦେୟ)କୁ ନେଇ ବଡ ମନ୍ତବ୍ୟ ଦେଲେ ଦିଲ୍ଲୀ ହାଇକୋର୍ଟ। ଯଦି ଆପଣ ସର୍ଭିସ ଚାର୍ଜ ପୈଠ କରିପାରିବେ ନାହିଁ, ତେବେ ରେସ୍ତୋରାଁରେ ଖାଦ୍ୟ ଖାଆନ୍ତୁ ନାହିଁ ବୋଲି ବୁଧବାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଜୁଲାଇ ୪ରେ ହୋଟେଲ୍ ଓ ରେସ୍ତୋରାଁ ଦ୍ୱାରା ନିଆଯାଉଥିବା ସର୍ଭିସ ଚାର୍ଜ ଉପରେ ରୋକ ଲଗାଇଥିଲା କେନ୍ଦ୍ର ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ)। ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ ଖାଦ୍ୟ ବିଲ୍‌ରେ ସର୍ଭିସ୍‌ ଚାର୍ଜ ଯୋଡ଼ିପାରିବେନି ‌‌ବୋଲି ନିଷ୍ପତ୍ତି ହୋଇଥିଲା । ଅନ୍ୟ କୌଣସି ଆଳରେ ମଧ୍ୟ ସର୍ଭିସ୍ ଚାର୍ଜ ଅସୁଲ କରାଯାଇପାରିବେ ନାହିଁ। ଏହି ଚାର୍ଜ ଦେବା ଲାଗି ଗ୍ରାହକମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ‌ସର୍ଭିସ୍‌ ଚାର୍ଜ ସମ୍ପୂର୍ଣ୍ଣ ସ୍ବେଚ୍ଛାଧୀନ ବୋଲି ସେମାନେ ଗ୍ରାହକଙ୍କୁ ଅବଗତ କରିବେ। ଏନେଇ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଗାଇଡ୍‌ଲାଇନ୍ ଜାରି କରିଥିଲା।

ହେଲେ ଆଜି ଏହି ଗାଇଡଲାଇନ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସିସିପିଏ ଜାରି କରିଥିବା ଗାଇଡଲାଇନକୁ ବିରୋଧ କରି ନ୍ୟାସନାଲ୍ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ(ଏନଆରଏଆଇ) ଏବଂ ଫେଡେରେସନ୍ ଅଫ୍ ହୋଟେଲ୍ସ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଓକିଲ ନୀନା ଗୁପ୍ତା ଏବଂ ଅନନ୍ୟା ମାରୱାଙ୍କ ଦ୍ୱାରା ଏନଆରଏଆଇ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା। ଏଥିରେ ହୋଟେଲ ଏବଂ ରେସ୍ତୋରାଁ ନେଉଥିବା ସର୍ଭିସ ଚାର୍ଜକୁ ନେଇ ସିସିପିଏ ଜାରି କରିଥିବା ଗାଇଡଲାଇନ ଉପରେ ରୋକ ଲଗାଇବାକୁ କୁହାଯାଇଥିଲା।

ଏହା ଉପରେ ରୋକ ଲଗାଇ ଜଷ୍ଟିସ୍ ଯଶବନ୍ତ ବର୍ମା କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ନେଇ ବିଚାର ହେବା ଆବଶ୍ୟକ। ଏହା ସହ ସେ ଦୁଇ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଗାମୀ ଶୁଣାଣି ନଭେମ୍ବର ୨୫ରେ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe