ସରକାରଙ୍କ ଚିନ୍ତା ବଢ଼ାଇଲା ଦିଲ୍ଲୀ ଜମାତ୍‌ : ଦେଶର ୧୫ଟି ରାଜ୍ୟରେ ସତର୍କତା

Advertisment
ସରକାରଙ୍କ ଚିନ୍ତା ବଢ଼ାଇଲା ଦିଲ୍ଲୀ ଜମାତ୍‌ : ଦେଶର ୧୫ଟି ରାଜ୍ୟରେ ସତର୍କତା

Zee News

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ମସ୍‌ଜିଦରେ ହୋଇଥିବା ତବଲିଗି ଜମାତ ସମ୍ମିଳନୀ ଏବେ ଦେଶର ୧୫ଟି ରାଜ୍ୟପାଇଁ ବଡ଼ ବିପଦ ଆଶଙ୍କା ସୃଷ୍ଟି କରିଛି। ଦେଶରେ ଏବେ କରୋନା ଭାଇରସ୍‌ର ମୋଟ ମାମଲାର ୨୦ ପ୍ରତିଶତ କେବଳ ଏହି ସମ୍ମିଳନୀ ଯୋଗୁଁ ଆସିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ୧୫ଟି ରାଜ୍ୟ ଯୁଦ୍ଧସ୍ତରରେ ପ୍ରସ୍ତୁତି ଚଳାଇଛନ୍ତି। ଏବେ ୨୦୦୦ରୁ ଅଧିକ ଜମାତି ବିଭିନ୍ନ ରାଜ୍ୟରେ ଆଇସୋଲେସନ ୱାର୍ଡରେ ଅଛନ୍ତି।

ଇତିମଧ୍ୟରେ ନିୟମ ଉଲ୍ଲଂଘନ କରି ଏହି ସମାବେଶରେ ଯୋଗ ଦେଇଥିବା ୯୬୦ ବିଦେଶୀ ନାଗରିକଙ୍କର ଭିସା ବାତିଲ କରାଯାଇଥିବା ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟଙ୍କୁ ନିର୍ଦେଶ ଦିଆଯାଇଛି। ଆନ୍ଧ୍ର ପ୍ରଦେଶରୁ ଜମାତାର ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ୭୪୬ ଜଣଙ୍କୁ ଠାବ କରାଯାଇଛି। ତେଲେଙ୍ଗାନାରୁ ୧ ହଜାର ୩୦ ଜଣ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୫୦ ଲୋକଙ୍କୁ ଠାବ କରାଯାଇଛି। ଠାବ ହେବାମାତ୍ରେ ସେମାନଙ୍କୁ ଆଇସୋଲେସନ ୱାର୍ଡକୁ ପଠାଇ ଦିଆଯାଇଛି।

ତାମିଲନାଡ଼ୁରୁ ପ୍ରାୟ ୧୫ ଶହ ପ୍ରତିନିଧି ଏହି ଇସ୍‌ଲାମିକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆହୁରି ୫ ଶହ ଲୋକଙ୍କୁ ଠାବ କରାଯାଇ ପାରିନାହିଁ। କର୍ଣ୍ଣାଟକର ୧୫ ଶହ ଲୋକ ଏହି ସମ୍ମିଳନୀରେ ସାମିଲ ଥିବା ବେଳେ ପ୍ରାୟ ୧ ହଜାର ଲୋକଙ୍କୁ ଠାବ କରିବା ପାଇଁ ଅଭିଯାନ ଚାଲିଛି। ମହାରାଷ୍ଟ୍ରରୁ ୨୧ ଜଣ ବିଦେଶୀଙ୍କ ସମେତ ୪୫୦ ଜଣ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୬୫ ଜଣଙ୍କୁ ଠାବ କରି ଆଇସୋଲେସନରେ ରଖାଯାଇଛି। ଉତ୍ତର ପ୍ରଦେଶ ସରକାର ୫୦୦ ଜଣଙ୍କୁ ଆଇସୋଲେସନ ୱାର୍ଡକୁ ପଠାଇଥିବା ବେଳେ ଆହୁରି ଶତାଧିକ ଲୋକଙ୍କୁ ଠାବ କରିବାକୁ ଅଭିଯାନ ଜାରି ରଖିଛନ୍ତି। ପଶ୍ଚିମବଂଗରୁ ଯାଇଥିବା ଅନେକ ଜମାତୀ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହାନ୍ତି। ରାଜସ୍ଥାନରେ ୨୪୬ ଜଣ ଜମାତୀଙ୍କୁ କ୍ବାରାଣ୍ଟିନ୍‌ ଶିବିରରେ ରଖାଯାଇଛି।

ଇତିମଧ୍ୟରେ ତବଲିଗ୍ ମର୍କଜ ପକ୍ଷରୁ ଅଭି‌େଯାଗ କରାଯାଇଛି ଯେ ସେମାନଙ୍କୁ ବଦନାମ କରିବା ଲାଗି ଚକ୍ରାନ୍ତ ଚାଲିଛି। ଦିଲ୍ଲୀ ସମ୍ମିଳନୀ ଶେଷ ‌ହେବାପରେ ‌ଭକ୍ତମାନେ ନିଜ ନିଜ ଘରକୁ ଫେରିବା ଲାଗି ବାହାରିଥିବା ବେଳେ ଜନତା କର୍ଫ୍ୟୁ ଓ ଲକଡାଉନ୍ ଯୋଗୁଁ ଏହା ସମ୍ଭବ ‌ହୋଇପାରି ନଥିଲା। ଏସଂପର୍କରେ ସେମାନେ ପୋଲିସ ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। ଫଳରେ ଏତେ ସଂଖ୍ୟକ ଲୋକ ସେଠାରେ ଫସି ରହିଗଲେ। ଆରମ୍ଭରୁ ମର୍କଜ ପୋଲିସ ଓ ପ୍ରଶାସନକୁ ସହଯୋଗ କରି ଆସୁଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe