ନୂଆଦିଲ୍ଲୀ: ଦିଲ୍ଲୀର ମଙ୍ଗୋଲ୍ପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଜଣେ ତରୁଣୀଙ୍କୁ ବଳପୂର୍ବକ କ୍ୟାବ୍ରେ ବସାଉଥିବାର ୧୭ ସେକେଣ୍ଡ୍ର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଜାତୀୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ବିଷୟରେ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି।
ଭିଡିଓ ସଂକ୍ରାନ୍ତରେ ଅବଗତ ହୋଇ ଘଟଣା ଉପରେ ତଦନ୍ତ ଆରମ୍ଭ କରିଥିବା ଦିଲ୍ଲୀ ଆଉଟର୍ ଡିଷ୍ଟ୍ରିକ୍ଟ୍ ‘ଡିସିପି’ କହିଛନ୍ତି, ଗତରାତିରୁ ଭିଡିଓ ଉପରେ ତଦନ୍ତ ଚାଲିଛି। କ୍ୟାବ୍ର ମାଲିକ ଗୁରୁଗ୍ରାମରେ ବାସ କରନ୍ତି। ପୁଲିସ ଟିମ୍ ତାଙ୍କ ସହିତ କଥାବାର୍ତ୍ତା କରିବ।
ସେ ଆହୁରି ମଧ୍ୟ କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଛି ଯେ, ଶନିବାର ରାତି ପ୍ରାୟ ୧୧.୩୦ରେ ଉକ୍ତ କ୍ୟାବ୍ଟିକୁ ଶେଷ ଥର ପାଇଁ ଗୁରୁଗ୍ରାମର ଇଫ୍କୋ ଛକରେ ଦେଖିବାକୁ ମିଳିଥିଲା। ସେ ଅଞ୍ଚଳରେ ଥିବା ‘ସିସିଟିଭି’ ଫୁଟେଜ୍ ସବୁକୁ ଆମ ଟିମ୍ ଉଦ୍ଧାର କରିଛି।
Image Grabbed From Videoଗାଡ଼ି ଓ ତା’ର ଚାଳକଙ୍କ ପତ୍ତା ମିଳିଛି। ଦୁଇଜଣ ପୁଅ ଓ ଜଣେ ଝିଅ ରୋହିଣୀରୁ ବିକାଶପୁରୀ ଯିବା ପାଇଁ ଉବେର୍ ମାଧ୍ୟମରେ ଉକ୍ତ କ୍ୟାବ୍ ବୁକ୍ କରିଥିଲେ। ବାଟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇ ବିବାଦ ହୋଇଥିଲା। ଭିଡିଓରେ ଦେଖାଯାଉଛି, ପୁଅଟି ଜଣେ ଝିଅକୁ ଧକ୍କା ଦେଇ ଜବଦସ୍ତି କ୍ୟାବ୍ ଭିତର ବସାଉଛି। ଯୁକ୍ତିତର୍କ ପରେ ଝିଅଟି ପଳାଇ ଯିବାକୁ ଚାହିଁବାରୁ ଏ ଭଳି ଘଟଣା ଘଟିଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିଡିଓରେ ଦେଖାଯାଉଥିବା ଦୁଇ ପୁଅ ଓ ଝିଅର ଠିକଣା ଜାଣିବା ଲାଗି ଗତରାତିରେ ଉକ୍ତ କ୍ୟାବ୍ ଚଳାଉଥିବା ଡ୍ରାଇଭର୍ ନିକଟରେ ଯଥାଶୀଘ୍ର ପହଞ୍ଚିବାକୁ ପୁଲିସ ଉଦ୍ୟମ କରୁଛି।
Follow Us