Delhi-NCR pollution survey: ଦିଲ୍ଲୀ-ଏନ୍‌ସିଆର୍‌ ପ୍ରଦୂଷଣ ସର୍ଭେ: ୭୫% ଘରେ ଭୂତାଣୁ ସଂକ୍ରମଣ

ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି।  ଏଠାରେ ୭୫% ପରିବାର ଭୂତାଣୁଜନିତ ସଂକ୍ରମଣ ମାମଲା ରିପୋର୍ଟ କରିଛନ୍ତି ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି।

delhi poluction

Business Standard

ଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି।  ଏଠାରେ ୭୫% ପରିବାର ଭୂତାଣୁଜନିତ ସଂକ୍ରମଣ ମାମଲା ରିପୋର୍ଟ କରିଛନ୍ତି ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ସେପ୍ଟେମ୍ବର ଶେଷରେ ଏହା ୫୬% ଥିବା ବେଳେ ଏବେ ଏହା ୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ‘ଲୋକାଲ୍‌ସର୍କଲ୍ସ’ ଦ୍ୱାରା ପରିଚାଳିତ ସର୍ଭେରେ ଦିଲ୍ଲୀ, ଗୁରୁଗ୍ରାମ, ନୋଇଡା, ଫରିଦାବାଦ ଓ ଗାଜିଆବାଦର ବାସିନ୍ଦାଙ୍କଠାରୁ ୧୫,୦୦୦ରୁ ଅଧିକ ମତାମତ ସଂଗ୍ରହ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଋତୁଭିତ୍ତିକ ଭାଇରସ୍ ଓ ଅତ୍ୟଧିକ ପ୍ରଦୂଷଣଜନିତ ମିଶ୍ରିତ ପ୍ରଭାବକୁ ସୂଚାଉଛି।

ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ପ୍ରଚଳିତ ରୋଗ ଓ ଲକ୍ଷଣଗୁଡ଼ିକ ମଧ୍ୟରେ ସବୁଠାରୁ ସାଧାରଣ ଅବସ୍ଥା ହେଉଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଓ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ। ପ୍ରଭାବିତ ବ୍ୟକ୍ତିମାନେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ଥକାପଣ, ଶରୀର ଯନ୍ତ୍ରଣା ଓ ଶ୍ୱାସକ୍ରିୟାଜନିତ ଅସୁବିଧା ଅନୁଭବ କରନ୍ତି। ଏହି ସ୍ଥିତି ପ୍ରାୟତଃ ୧୦ ଦିନରୁ ଅଧିକ ସମୟ ଧରି ରହିଥାଏ। ଶିଶୁ, ବୃଦ୍ଧ ଓ ପୂର୍ବରୁ ରୋଗ ଥିବା ବ୍ୟକ୍ତିମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ୧୭% ଘରେ ଚାରି କିମ୍ବା ଅଧିକ ସଦସ୍ୟ ଅସୁସ୍ଥ ଥିବା ବେଳେ ୨୫% ଘରେ ଦୁଇରୁ ତିନି ମାମଲା ରହିଛି। ୩୩% ଘରେ ଜଣେ ପ୍ରଭାବିତ ବ୍ୟକ୍ତି ଥିବା ବେଳେ କେବଳ ୨୫% ପରିବାର ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି। ବାୟୁ ଗୁଣବତ୍ତା ସୂଚକାଙ୍କ  ଏବେ ଅଧିକାଂଶ ସ୍ଥାନରେ ୪୦୦–୫୦୦ ମଧ୍ୟରେ ରହିଥିବା ବେଳେ ପିଏମ୍‌ ୨.୫ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ସୁରକ୍ଷିତ ସୀମାଠାରୁ ପ୍ରାୟ ୧୦ ଗୁଣ ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ୭୫ ପ୍ରତିଶତ ପରିବାର ପ୍ରଦୂଷଣ-ସମ୍ବନ୍ଧୀୟ ସମସ୍ୟା ଯେପରି ଶ୍ୱାସକ୍ରିୟା ଅସୁବିଧା, ନାକ ବନ୍ଦ, ଆଖି ଜଳାପୋଡ଼ା ଓ ମୁଣ୍ଡ ଯନ୍ତ୍ରଣା ରିପୋର୍ଟ କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଘର ଭିତର ବାୟୁ ଗୁଣବତ୍ତା ଉନ୍ନତ କରିବା ଓ  ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe