ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଧମକପୂର୍ଣ୍ଣ ଇମେଲ ଦିଲ୍ଲୀ ପୁଲିସକୁ ମିଳିଛି। ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ ଇମେଲରେ ଆସିଥିବା ଏହି ଧମକପୂର୍ଣ୍ଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନଭେମ୍ବର ୨୦୧୯ରେ ହତ୍ୟା କରାଯିବ ବୋଲି ଉଲ୍ଲେଖ ରହିଛି । ଏହି ମେଲ୍ ଆସାମର କୌଣସି ଅଂଚଳରୁ ଆସିଥିବା ଜଣାପଡ଼ିଛି। ପୁଲିସ ଏହାର ଖୋଳତାଡ଼ ଆରମ୍ଭ କରିଛି। ଦିଲ୍ଲୀ ପୁଲିସ କମିସନରଙ୍କୁ ସିଧାସଳଖ ଏଭଳି ମେଲ୍ ମିଳିବା ପରେ ସୁରକ୍ଷା ସଂସ୍ଥାଗୁଡ଼ିକ ସର୍ବାଧିକ ଆଲର୍ଟ ରହିଛନ୍ତି। ଚଳିତ ମାସରେ ପ୍ରଧାନମନ୍ତ୍ରୀଙ୍କ କେତେକ ରୢାଲି ରହିଥିବାରୁ ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରିବାକୁ ଯୋଜନା ହେଉଛି। ଚଳିତ ବର୍ଷ ଜୁନ୍ରେ ପୁନେ ପୁଲିସ ଦାବି କରିଥିଲା ଯେ ମାଓବାଦୀମାନେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଭଳି ହତ୍ୟା କରାଯାଇଥିଲା ସେଭଳି କାଣ୍ଡ ଘଟାଇବା ପାଇଁ ମାଓବାଦୀଙ୍କ ଯୋଜନା ଏକ ଚିଠିରୁ ଜଣାପଡ଼ିଥିଲା। ଭୀମା କୋରେଗାଓଁ ଜାତିଆଣି ହିଂସା ମାମଲାରେ ଗିରଫ ହୋଇଥିବା ୫ ଜଣ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ ଜଣେ ଏଥିରେ ସଂପୃକ୍ତ ଥିବା ପୁଲିସ ଦାବି କରିଥିଲା।
ଦିଲ୍ଲୀ ପୁଲିସ କମିସନରଙ୍କ ଇମେଲରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ
Advertisment
Follow Us