delhi police Photograph: (social media)
ନୂଆଦିଲ୍ଲୀ: ସ୍ବାମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦିଲ୍ଲୀ ପୁଲିସର ମହିଳା କନଷ୍ଟେବଲ କାଜଲଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ୨୭ ବର୍ଷୀୟ କାଜଲ ସ୍ବାଟ୍ ଟିମ୍ର କମାଣ୍ଡୋ ଭାବେ ପୋଷ୍ଟିଂ ପାଇଥିଲେ। ସ୍ବାମୀଙ୍କ ନୃଶଂସ ଆକ୍ରମଣ ପରେ ଉତ୍ତର ପ୍ରଦେଶର ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଦୁଇ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। କାଜଲ ଓ ତାଙ୍କ ସ୍ବାମୀ ଅଙ୍କୁର ଚୌଧୁରୀ (୨୮) ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକା ମୋର୍ରେ ରହୁଥିଲେ। ଜାନୁଆରି ୨୨ ତାରିଖରେ ଯୌତୁକ ତଥା ଘରୋଇ ପ୍ରସଙ୍ଗକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ପାଟତୁଣ୍ଡ ହୋଇଥିଲା। ଅଙ୍କୁର କାଜଲଙ୍କୁ ଡମ୍ବବେଲରେ ଆକ୍ରମଣ କରିଥିଲେ। ଏପରିକି କାନ୍ଥରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। କାଜଲ ଗୁରୁତର ହୋଇପଡ଼ିଥିବାବେଳେ ଅଙ୍କୁର କାଜଲଙ୍କ ଭାଇ ନିଖିଲଙ୍କୁ ଫୋନ କରି ସେ ତାଙ୍କ ଭଉଣୀକୁ ମାରିଦେଇଥିବା କହିଥିଲେ। ନିଖିଲ ସେଠାରେ ପହଞ୍ଚିବାବେଳେ ଅଙ୍କୁରଙ୍କ ପରିବାର ଲୋକ ତାଙ୍କ ଭଉଣୀକୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିସାରିଥିଲେ। କାଜଲଙ୍କ ମସ୍ତିଷ୍କରେ ଗଭୀର ଆଘାତ ଳାଗିଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ଜାନୁଆରି ୨୫ ତାରିଖରେ କାଜଲଙ୍କୁ ଗାଜିଆବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨୭ ତାରିଖ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଘଟଣା ଦିନ କାଜଲ ନିଖିଲଙ୍କୁ ଫୋନ୍ କଲ କରିଥିଲେ। କିନ୍ତୁ ଅଙ୍କୁର ସେମାନଙ୍କୁ ବେଶି ସମୟ କଥା ହେବାକୁ ଦେଇନଥିଲେ।
ଅଙ୍କୁରଙ୍କୁ ପୁଲିସ ଗିରଫ କରି ତାଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କାଜଲଙ୍କ ମୃତ୍ୟୁ ପରେ ଅଙ୍କୁର ବିରୋଧରେ ହତ୍ୟା ମାମଲା ରୁଜୁ ହେବ ବୋଲି ପୁଲିସ କହିଛି। କାଜଲ ଓ ଅଙ୍କୁର ୨୦୨୩ ନଭେମ୍ବରରେ ପ୍ରେମ ବିବାହ କରିଥିବାବେଳେ ସେମାନଙ୍କର ଦେଢ ବର୍ଷର ଗୋଟିଏ ପୁଅ ଅଛନ୍ତି।
Follow Us