ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ସଂକ୍ରମଣ ଏବଂ ମୃତ୍ୟୁ ହୁ ହୁ ହୋଇ ବଢ଼ି ଚାଲିଛି। ଚିକିତ୍ସା ପାଇଁ ବେଡ୍ ଏବଂ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି। ଗୁରୁତର ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇବାରେ ଦିଲ୍ଲୀ ପୁଲିସ୍ ନେଇଥିବା ପଦକ୍ଷେପ ପ୍ରଶଂସିତ ହୋଇଛି।
ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟମାନଙ୍କରେ କରୋନାକୁ ନେଇ ଅତି ଭୟଙ୍କର ସ୍ଥିତି ଉପୁଜିଲାଣି। ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଏବେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଅନ୍ୟପକ୍ଷେ ବେଡ୍ ଓ ଅକ୍ସିଜେନ ଅଭାବ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି।
ଏହି କ୍ରମରେ ଦିଲ୍ଲୀ ପୁଲିସ ୨୩୫ଜଣ ରୋଗୀଙ୍କ ପାଇଁ ଦେବଦୂତ ସାଜିଛି । ଦିଲ୍ଲୀର ପଶ୍ଚିମ ବିହାର ବାଲାଜୀ ଏକ୍ସନ ହସ୍ପିଟାଲରେ ୨୩୫ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁଥିଲା। ଏହି ସମୟରେ ସେମାନଙ୍କ ବ୍ୟବହାର ପାଇଁ ଲାଗିଥିବା ଅକ୍ସିଜେନ ଶେଷ ହୋଇଯିବ ବୋଲି ଜଣାପଡ଼ିଲା। କିପରି ଭାବରେ ଉଚିତ ସମୟରେ ଏତେ ସଂଖ୍ୟାକ ରୋଗୀଙ୍କୁ ଅକ୍ସିଜେନ ଯୋଗାଯାଇ ପାରିବ ସେ ଚିନ୍ତା ଡାକ୍ତରଖାନା କର୍ତ୍ତୃପକ୍ଷ ପଡ଼ିଥିବା ବେଳେ ଦିଲ୍ଲୀ ପୁଲିସ ସମୟ କାଳବିଳମ୍ବ ନକରି ଏକ ‘ଗ୍ରିନ୍ କରିଡର’ (ସ୍ବତନ୍ତ୍ର ଟ୍ରାଫିକବିହୀନ ରାସ୍ତା )ର ବ୍ୟବସ୍ଥା କରିଥିଲା। ଆଉ ଏହି ଗ୍ରିନ କରିଡର ଜରିଆରେ ଅକ୍ସିଜେନ ଗ୍ୟାସ ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ସଠିକ ସମୟରେ ବାଲାଜୀ ଏକ୍ସନ ହସ୍ପିଟାଲରେ ପହଞ୍ଚା ଯାଇଥିଲା। ଫଳରେ ୨୩୫ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଥିଲା।
ରାତି ୧୦ଟାରୁ ୨୬ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକଡାଉନ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି। ତେବେ ଏହା ମିନି ଲକଡାଉନ ହୋଇଥିବାରୁ କେଜ୍ରିୱାଲ୍ ପ୍ରବାସୀ ଶ୍ରମିକମାନଙ୍କୁ ଦିଲ୍ଲୀ ନ ଛାଡ଼ିବାକୁ ଅନୁରୋଧ କରିଛନ୍ତି।
Follow Us