ନୂଆଦିଲ୍ଲୀ: ପୁଣି ମିଳିଲା ବୋମାରେ ଉଡ଼ାଇ ଦେବାର ଧମକ। ଚଳିତ ବର୍ଷ ଦିଲ୍ଲୀର ଅନେକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ମିଳିଥିବା ବେଳେ ଆଜି ସକାଳେ ପୁଣି ଥରେ ବୋମା ଧମକ ମିଳିଥିବା ସାମ୍ନାକୁ ଆସିଛି। ଶନିବାର ସକାଳେ, ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ୍) ଦ୍ୱାରକା, ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲ, କୁତୁବ ମିନାର ଏବଂ ନଜଫଗଡ଼ରେ ଥିବା କୃଷ୍ଣା ମଡେଲ୍ ପବ୍ଲିକ୍ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ଇମେଲ୍ ଦେଖିବା ପରେ, ସ୍କୁଲ ପରିଚାଳନା ତୁରନ୍ତ ପଦକ୍ଷେପ ନେଇ ସ୍କୁଲ କ୍ୟାମ୍ପସ ଖାଲି କରିଦେଇଥିଲା।
ସୂଚନା ମୁତାବକ, ସକାଳ ୭ଟା ସୁଦ୍ଧା ପିଲା ଏବଂ କର୍ମଚାରୀମାନେ ସ୍କୁଲରେ ପହଞ୍ଚି ସାରିଥିଲେ। ହେଲେ ବୋମା ଧମକ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଧମକ ପାଇ ସ୍କୁଲ ପରିଚାଳନା ସୁରକ୍ଷିତ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଘଟଣା ବିଷୟରେ ଜାଣିବା ପରେ, ବମ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୁଲିସର ଦଳ ବିଭିନ୍ନ ସ୍କୁଲ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନଥିବା ବେଳେ ତଲାସୀ ଅଭିଯାନ ଜାରି ରହିଛି।
କିଛି ମାସ ହେଲାଣି ଦିଲ୍ଲୀ ସ୍କୁଲଗୁଡ଼ିକୁ ନିରନ୍ତର ବୋମାରେ ଉଡ଼ାଇ ଦେବାର ଇମେଲ୍ ଆସିବାରେ ଲାଗିଛି। ସ୍କୁଲଗୁଡ଼ିକ ଇମେଲ୍ କିମ୍ବା ଫୋନ୍ ମାଧ୍ୟମରେ ଧମକ ପାଉଛନ୍ତି। ପ୍ରତ୍ୟେକ ଥର, ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ କ୍ୟାମ୍ପସରୁ ବାହାର କରି ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି କର୍ତ୍ତୃପକ୍ଷ, ଯାହାଦ୍ବାରା ସେମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି। ପ୍ରତ୍ୟେକ ଥର ଧମକ ମିଳିଲେ ପୁଲିସ ତଦନ୍ତ କରିବାକୁ ପହଞ୍ଚୁଥିଲେ ବି ଖାଲି ହାତରେ ଫେରିବାକୁ ପଡ଼ୁଛି।
delhi-schools-bomb-scare
Follow Us