୧୫୦୦ କୋଟିର ସବୁଜ ପାଣ୍ଠି ଉପଯୋଗ ନହୋଇ ପଡ଼ି ରହିଛି: ଦିଲ୍ଲୀ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

Advertisment
୧୫୦୦ କୋଟିର ସବୁଜ ପାଣ୍ଠି ଉପଯୋଗ ନହୋଇ ପଡ଼ି ରହିଛି: ଦିଲ୍ଲୀ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ନୂଆଦିଲ୍ଲୀ: ବ୍ୟାପକ ବାୟୁପ୍ରଦୂଷଣ ହେତୁ ଦିଲ୍ଲୀର ଜନଜୀବନ ସଂକଟଜନକ ସ୍ଥିତିରେ ଗତି କରୁଥିବା ବେଳେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗ ପାଖରେ ପ୍ରାୟ ୧୫୦୦ କୋଟି ଟଙ୍କାର ‘ଗ୍ରୀନ ପାଣ୍ଠି (ସବୁଜ ପାଣ୍ଠି) ଉପଯୋଗ ନହୋଇ ପଡ଼ି ରହିଛି। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଲୋକଙ୍କଠାରୁ ବିଭିନ୍ନ କର ଓ ସେସ୍‌ ଆକାରରେ ଆଦାୟ ହୋଇଥିବା ଏହି ଟଙ୍କା ଉପଯୋଗ ହୋଇଥିଲେ ହୁଏତ, ପ୍ରଦୂଷଣ ଏପରି ବିକଟାଳି ରୂପ ନେଇ ନଥାଆନ୍ତା।

publive-image

୨୦୧୫ ମସିହାରେ ଦିଲ୍ଲୀରେ ଯାନବାହନ ଚଳାଚଳ ପ୍ରଦୂଷଣର ନିୟନ୍ତ୍ରଣ ଲାଗି ସୁପ୍ରିମକୋର୍ଟ ନୂଆଦିଲ୍ଲୀ ପରିସୀମା ଭିତରକୁ ପ୍ରବେଶ କରୁଥିବା ପ୍ରତି ଟ୍ରକ ଠାରୁ ପରିବେଶ କ୍ଷତିପୂରଣ ଦେୟ (ଇସିସି) ଆଦାୟ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ଦେୟରୁ ଦିଲ୍ଲୀ ସରକାର ଏଯାବତ୍‌ ୧୦୦୩ କୋଟି ଟଙ୍କା ଆୟ କରିଛନ୍ତି। ଏଥିସହ ୨୦୦୮ରୁ ପ୍ରତି ଲିଟର ଡିଜେଲ ବିକ୍ରିରୁ ଆଦାୟ ହେଉଥିବା ପରିବେଶ ସେସ୍‌ରୁ ପ୍ରାୟ ୫୦୦କୋଟି ଟଙ୍କା ଆୟ ହୋଇଛି। ଅନ୍ୟ ପକ୍ଷରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ରହିଛି ଡିଜେଲ ଗାଡ଼ି ବିକ୍ରିରୁ ଆୟ ହେଉଥିବା ୬୨ କୋଟି ଟଙ୍କାର ସେସ୍‌।

ଏହି ଟଙ୍କା ପ୍ରଦୂଷଣ ରୋକିବା ଦିଗରେ ବ୍ୟବହାର କରା ନଯାଇ କାହିଁକି ପଡ଼ି ରହିଛି ବୋଲି ପଚରାଯିବାରୁ ଦିଲ୍ଲୀ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅର୍ଥରେ ଦିଲ୍ଲୀ ସରକାର ଇ-ବସ୍‌ କ୍ରୟ କରିବେ ବୋଲି ନିକଟରେ ନିଷ୍ପତ୍ତି ହୋଇଛି। ତେବେ କେତେଟି ବସ୍‌ କିଣାଯିବ ତାହା ଜଣାପଡ଼ି ନାହିଁ।

publive-image

ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଅର୍ଥରେ ବାୟୁ ପ୍ରଦୂଷଣ ରୋକିବା ଲାଗି ବ୍ୟାପକ ଅନୁଧ୍ୟାନ କରିବ ବୋଲି ପ୍ରସ୍ତାବ ଦେଇଛି।

ମୋଟାମୋଟି, ଯେଉଁ ସବୁ ପଦକ୍ଷେପ ପୂର୍ବରୁ ନେବାର ଥିଲା,ତାହା ନିଆ ନଯାଇ ଏଥିଲାଗି ଉଦ୍ଦିଷ୍ଟ ଅର୍ଥକୁ ଉପଯୋଗ ନକରି ପକାଇ ରଖିବା ଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe