Image Courtesy of India Today
ବାରାଣସୀ: ବାରାଣସୀର ଜ୍ଞାନବାପି ମସ୍ଜିଦ୍ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍ କାରଣରୁ ଗତରାତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ସହକାରୀ ପ୍ରଫେସର୍ଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଶନିବାର ଦିନ ଦିଲ୍ଲୀ ପୁଲିସ ତାଙ୍କୁ ତିସ ହଜାରୀ କୋର୍ଟରେ ହାଜର କରିଥିଲା। ହାଜର କରାଯିବା ପରେ ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଜାମିନ ଦେଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଥିଲା। ଅଭିଯୋଗ ପତ୍ରରେ ଆଡ୍ଭୋକେଟ୍ ବିନୀତ ଜିନ୍ଦଲ୍ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍ ଲାଲ୍ ନିକଟ ଅତୀତରେ ଟୁଇଟର୍ରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍ ସେୟାର୍ କରିଥିଲେ। ଟୁଇଟର୍ ଆକାଉଣ୍ଟ୍ରେ ପ୍ରଫେସର୍ ଲାଲ୍ ଦେଇଥିବା ବିବୃତି କ୍ରୋଧ ଉଦ୍ରେକକାରୀ ବୋଲି ସେ କହିଥିଲେ। ଏହି ମାମଲା ଖୁବ୍ ସ୍ପର୍ଶକାତର ଏବଂ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ।
ନିଜ ପୋଷ୍ଟ୍କୁ ଯଥାର୍ଥ ଦର୍ଶାଇବାକୁ ଯାଇ ପ୍ରଫେସର୍ ଲାଲ୍ ପୂର୍ବରୁ କହିଥିଲେ, ଭାରତରେ ଆପଣ ଯଦି କୌଣସି ବିଷୟରେ କହିବେ, କାହାରି ନା, କାହାରି ଭାବାବେଗକୁ ଆଘାତ କରିବ। ତେଣୁ, ଏଇଟା ନୂଆ କଥା ନୁହେଁ। ମୁଁ ଜଣେ ଐତିହାସିକ ହୋଇଥିବାରୁ ବହୁ ପର୍ଯ୍ୟବେକ୍ଷଣ କରିଛି। ପୋଷ୍ଟ୍ରେ ଏ କଥା ଲେଖିବା ବେଳେ ମୁଁ ଖୁବ୍ ସତର୍କତା ଅବଲମ୍ବନ କରିଛି।
Follow Us