ନୂଆଦିଲ୍ଲୀ: ନେଟ୍ଫ୍ଲିକ୍ସର ଲୋକପ୍ରିୟ ସିରିଜ୍ ‘ମନି ହାଇଷ୍ଟ’ରୁ ପ୍ରେରଣା ନେଇ ଦିଲ୍ଲୀରେ ଗଠିତ ଏକ ଗ୍ୟାଙ୍ଗ୍ ଅଭୂତପୂର୍ବ ଠକେଇ ଯୋଜନା ମାଧ୍ୟମରେ ୧୫୦ କୋଟି ଟଙ୍କାରୁ ଅଧିକ ଲୁଟିବାରେ ସକ୍ଷମ ହୋଇଛନ୍ତି। ଏହି ଗ୍ୟାଙ୍ଗ ସିରିଜ୍ର ଚରିତ୍ରଙ୍କ ନାମ ଗ୍ରହଣ କରିବା ସହ ନିଜର ପରିଚୟ ଲୁଚାଇ ସୋସିଆଲ ମିଡିଆ ଓ ହ୍ବାଟ୍ସଆପ ମାଧ୍ୟମରେ ବିପୁଳ ଅର୍ଥ ଲୁଟ୍ କରିଛନ୍ତି। ଷ୍ଟକ୍ ମାର୍କେଟରେ ବିନିଯୋଗ ଜରିଆରେ ଉଚ୍ଚ ଲାଭର ଲୋଭ ଦେଖାଇ ଦେଶବ୍ୟାପୀ ୩୦୦ରୁ ଅଧିକ ଲୋକଙ୍କୁ ଏହି ଗ୍ୟାଙ୍ଗ୍ ଠକିଛି। ଏହା ସହିତ, ଅନ୍ୟାନ୍ୟ ଅନ୍ଲାଇନ ପଦ୍ଧତିରେ ୨୩ କୋଟି ଟଙ୍କା ଅଧିକ ଚୋରି କରାଯାଇଛି। ଗ୍ୟାଙ୍ଗର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଥିବା ବେଳେ ଏହାର ଶାଖା ନୋଇଡ଼ା, ଗୁଆହାଟି ଓ ସିଲିଗୁଡ଼ି ପର୍ଯ୍ୟନ୍ତ ବିସ୍ତାରିତ ଥିଲା। ଦିଲ୍ଲୀ ପୁଲିସ ଏକ ବଡ଼ ଧରଣର ଅଭିଯାନ ଚଳାଇ ଏହି ଗ୍ୟାଙ୍ଗର ମୁଖ୍ୟ ସଦସ୍ୟମାନଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଗ୍ୟାଙ୍ଗ୍ ସଦସ୍ୟମାନେ ହେଉଛନ୍ତି ଅର୍ପିତ, ପ୍ରଭାତ ଓ ଅବ୍ବାସ। ଅର୍ପିତ ଜଣେ ଓକିଲ ଏବଂ ନିଜକୁ ପ୍ରଫେସର ନାମରେ ପରିଚୟ ଦେଇଥିଲା। କମ୍ପ୍ୟୁଟର ସାଇନ୍ସରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରିଧାରୀ ପ୍ରଭାତ ବାଜପେୟୀ ‘ଆମାଣ୍ଡା’ ନାମ ବ୍ୟବହାର କରୁଥିଲେ। ଅବ୍ବାସ ‘ଫ୍ରେଡି’ ନାମରେ ପରିଚିତ ଥିଲା। ପୁଲିସ କହିଛି, ଏହି ଛଦ୍ମନାମଗୁଡ଼ିକ ‘ମନି ହାଇଷ୍ଟ’ ସିରିଜରୁ ନିଆଯାଇଥିଲା ଏବଂ ଏହା ପରିଚୟ ଲୁଚାଇବା ପାଇଁ ବ୍ୟବହୃତ ହୋଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗ୍ୟାଙ୍ଗରେ ଅନ୍ୟ ସଦସ୍ୟ ଥାଇପାରନ୍ତି ଏବଂ ଚୀନ୍ର ସାଇବର ଠକଙ୍କ ସହ ଏହାର ସମ୍ପର୍କ ରହିଛି।
ଠକେଇର ପଦ୍ଧତି: ଏହି ସାଇବର ଲୁଟେରା ଗ୍ୟାଙ୍ଗ ସୋସିଆଲ ମିଡିଆ ଓ ହ୍ବାଟ୍ସଆପରେ ଅନେକ ଗ୍ରୁପ ତିଆରି କରି ଷ୍ଟକ୍ ମାର୍କେଟରେ ବିନିଯୋଗ ଟିପ୍ସ ଦେଇ ଲୋକଙ୍କୁ ଆକର୍ଷିତ କରୁଥିଲେ। ପ୍ରାରମ୍ଭରେ ଛୋଟ ଲାଭ ଦେଇ ବିଶ୍ୱାସ ଅର୍ଜନ କରୁଥିଲେ। କିନ୍ତୁ ବଡ଼ ରାଶି ବିନିଯୋଗ ହେବା ପରେ ଆକାଉଣ୍ଟ ବ୍ଲକ୍ କରି ଧମକ ଦେଇ ଅଧିକ ଟଙ୍କା ମାଗୁଥିଲେ। ଏହି ଠକେଇ ମାମଲାରେ ଏବେ ବିଭିନ୍ନ ରାଜ୍ୟରେ ଚଢ଼ଉ ଜାରି ରହିଛି।
Follow Us