ଟିକା ନେଇଥିଲେ ବି ଆକ୍ରାନ୍ତ କରୁଛି ଡେଲ୍‌ଟା: ଦୈନିକ ସଂକ୍ରମଣରେ ପୁଣି ଭାରତକୁ ଟପିଗଲା ଆମେରିକା

କରୋନାକୁ ନେଇ ଆଶ୍ବସ୍ତି ଆଣିଲା ସେପ୍ଟେମ୍ବର, ମୟୂରଭଞ୍ଜ ଜିଲ୍ଲାରୁ ୬୬୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୬/୭: ଭୂତାଣୁବିତ୍ ଓ ମହାମାରୀବିତ୍‌ଙ୍କ କହିବା ଅନୁଯାୟୀ କରୋନା ଭୂତାଣୁର ଦ୍ରୁତତମ ଏବଂ ସବୁଠାରୁ ମାରାତ୍ମକ ଭାରିଆଣ୍ଟ ହେଉଛି ଡେଲ୍‌ଟା। ୧୦ ଜଣ ଅଗ୍ରଣୀ କୋଭିଡ୍‌-୧୯ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁମାନେ ବିପଦରେ ଅଛନ୍ତି, ସେମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି। ତେବେ କୋଭିଡ୍-୧୯ର ଡେଲ୍‌ଟା ଭାରିଆଣ୍ଟ ଅଧିକ ଚିନ୍ତାଜନକ। ଏହାର କାରଣ ହେଉଛି ଏହା ଅତି ଶୀଘ୍ର ଓ ଅତି ସହଜରେ ବ୍ୟାପିଥାଏ ଏବଂ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଆକ୍ରାନ୍ତ କରି ବହୁସଂଖ୍ୟାରେ ଡାକ୍ତରଖାନାରେ ଭର୍ତ୍ତି କରାଇଦିଏ। ଏପରିକି ଏହା ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଥିବାର ଅଧିକରୁ ଅଧିକ ପ୍ରମାଣ ମିଳୁଛି। ବର୍ତ୍ତମାନ ଡେଲ୍‌ଟା ହିଁ ସାରା ବିଶ୍ବ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ଅଣୁଜୀବ-ବିଶାରଦ ଶାରୋନ ପିକକ୍ କହିଛନ୍ତି।

ଭୂତାଣୁଗୁଡିକ ବାରମ୍ବାର ନିଜର ରୂପରଙ୍ଗ ପରିବର୍ତ୍ତନ କରିଥାନ୍ତି। ବେଳେବେଳେ ଏଗୁଡ଼ିକ ମୂଳ ଭୂତାଣୁ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥାନ୍ତି। ଯେପର୍ଯ୍ୟନ୍ତ ଡେଲ୍‌ଟା ଭାରିଆଣ୍ଟ ସଂକ୍ରମଣ ଉପରେ ଅଧିକ ତଥ୍ୟ ନ ଆସିଛି, ସେପର୍ଯ୍ୟନ୍ତ ବ୍ୟାପକ ଟିକାକରଣ ଅଭିଯାନ ଚଲାଇବା ସହ ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ପଦକ୍ଷେପ ଜାରି ରଖିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଇଂଲଣ୍ଡର ଜନସ୍ୱାସ୍ଥ୍ୟ ବିଭାଗ ଶୁକ୍ରବାର କହିଛି ଯେ ଡେଲ୍‌ଟା ଭାରିଆଣ୍ଟ ସଂକ୍ରମଣ ଯୋଗୁ ବ୍ରିଟେନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୋଟ ୩,୬୯୨ ଜଣଙ୍କ ମଧ୍ୟରୁ ୫୮.୩ ପ୍ରତିଶତଙ୍କର ଟିକାକରଣ କରାଯାଇ ନାହିଁ ଏବଂ ୨୨.୮ ପ୍ରତିଶତଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇଛି।

ସିଙ୍ଗାପୁରରେ କରୋନା ରୋଗୀଙ୍କ ମଧ୍ୟରେ ଅଧିକାଂଶ ଡେଲ୍‌ଟା ଭାରିଆଣ୍ଟ ଦ୍ବାରା ସଂକ୍ରମିତ। ସିଙ୍ଗାପୁର ସରକାରୀ କର୍ମଚାରୀମାନେ ଶୁକ୍ରବାର ରିପୋର୍ଟ କରିଛନ୍ତି ଯେ ସଂକ୍ରମିତଙ୍କ ତିନି ଚତୁର୍ଥାଂଶ ହେଉଛନ୍ତି ଟିକା ନେଇଥିବା ବ୍ୟକ୍ତି, ଯଦିଓ କେହି ଗୁରୁତର ଅସୁସ୍ଥ ହୋଇନାହାନ୍ତି। ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ୍‌-୧୯ ରୋଗୀଙ୍କ ମଧ୍ୟରୁ ୬୦% ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ କିମ୍ବା ତଦୂର୍ଦ୍ଧ୍ୱ ଏବଂ ଅନେକ ସମୟରେ ସେମାନଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ ଅନ୍ୟ ଦେଶ ତୁଳନାରେ ଅଧିକ କୋଭିଡ୍‌-୧୯ ମାମଲା ଏବଂ ମୃତ୍ୟୁ ଦେଖାଦେଇଥିଲା। ସେଠାରେ ଏବେ ଡେଲ୍‌ଟା ଭାରିଆଣ୍ଟ ପ୍ରାୟ ୮୩% ନୂତନ ସଂକ୍ରମଣର ପ୍ରତିନିଧିତ୍ୱ କରୁଛି। ଏପର୍ଯ୍ୟନ୍ତ ଟିକା ନେଇ ନ ଥିବା ଲୋକମାନେ ପ୍ରାୟ ୯୭% ଗୁରୁତର ହେବା ଦେଖାଯାଉଛି।

ଦୈନିକ ସଂକ୍ରମଣରେ ପୁଣି ଭାରତକୁ ଟପିଗଲା ଆମେରିକା
ୱାସିଂଟନ୍‌: ଆମେରିକାରେ ପୁଣି ସଂକ୍ରମଣ ବଢ଼ିଛି। ଦୈନିକ ସଂକ୍ରମଣରେ ଆମେରିକା ପୁଣିଥରେ ଭାରତକୁ ଟପିଯାଇଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ଏବେ ୫୦ ହଜାରରୁ ଅଧିକ ରହୁଛି। ଅନ୍ୟପକ୍ଷେ ଭାରତରେ ସଂକ୍ରମଣ ମାମଲା ୪୦ ହଜାର ତଳେ ରହୁଛି। ଗତ ୨ ସପ୍ତାହରେ ଆମେରିକାରେ ସଂକ୍ରମଣ ମାମଲା ୧୭୦ ପ୍ରତିଶତ ବୃଦ୍ଧି ହୋଇଛି। ଡେଲ୍‌ଟା ପ୍ରଜାତି ଯୋଗୁଁ ସଂକ୍ରମଣ ବଢ଼ିଛି। ୮୩ ପ୍ରତିଶତ ମାମଲା ଡେଲ୍‌ଟା ପାଇଁ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଟିକାକରଣ ମନ୍ଥର ହୋଇଥିବାରୁ ସଂକ୍ରମଣ ବଢ଼ୁଥିବା କୁହାଯାଉଛି। ଆମେରିକାରେ ୯୧ ନିୟୁତରୁ ଅଧିକ ଲୋକ ଡେଲ୍‌ଟା ଯୋଗୁଁ ସଂକ୍ରମିତ ହୋଇଛନ୍ତି। ତେଣୁ ଆମେରିକାରେ ମାସ୍କ ପିନ୍ଧିବା ନିୟମ ଫେରାଇବା ସହ କଟକଣା କଡ଼ାକଡ଼ି କରିବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୫,୧୯୯,୪୬୫ ରହିଥିବାବେଳେ ୬,୨୬,୭୬୨ ଜଣ ବର୍ତ୍ତମାନ ସୁଦ୍ଧା କରୋନାରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe