ଫୋଇନିକ୍ସ: ଡେମୋକ୍ରାଟ୍ ଦଳର ସଂସଦୀୟ ପ୍ରତିନିଧି ନାମାଙ୍କନ ନିମନ୍ତେ ଏରିଜୋନା ପ୍ରାଥମିକ ନିର୍ବାଚନ ପ୍ରକ୍ରିୟାରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଏରିଜୋନା ଷ୍ଟେଟ୍ ପ୍ରତିନିଧି ଅମିଶ ଶାହ ବିଜୟୀ ହୋଇଛନ୍ତି। ୪ଟି ପ୍ରମୁଖ ସହରତଳି ଅଞ୍ଚଳକୁ ନେଇ ଏରିଜୋନାର ପ୍ରଥମ ସଂସଦୀୟ ଜିଲ୍ଲା ଗଠିତ। ଏଥିପାଇଁ ଡେମୋକ୍ରାଟ୍ ଦଳର ସମ୍ଭାବ୍ୟ ସଂସଦୀୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏହି ପ୍ରତିଦ୍ବନ୍ଦ୍ବିତାରେ ଦଳର ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ହରାଇ ଅମୀଶ ଶାହ (୪୭) ବିଜୟୀ ହୋଇଛନ୍ତି।
ନିର୍ବାଚନରେ ଅମିଶ ନିଜର ପ୍ରମୁଖ ଦଳୀୟ ପ୍ରତିଦ୍ବନ୍ଦ୍ବୀ ଆନ୍ଦ୍ରେୟି ଚେର୍ନିଙ୍କ ବିପକ୍ଷରେ ୧୬୨୯ଟି ଅଧିକ ଭୋଟ ପାଇଥିଲେ। ଏହି ନିର୍ବାଚନରେ ଅନ୍ୟ ପ୍ରାର୍ଥୀମାନେ ହେଲେ ମାର୍ଲିନ୍ ଗାଲାନ୍ ଉଡ୍ସ, ଆଣ୍ଡ୍ରୁ ହୋର୍ନ, ପୂର୍ବତନ ରେଡ୍କ୍ରସ୍ ସିଇଓ କୁର୍ଟ କ୍ରୋମେର୍, ଓ ଇନ୍ଭେଷ୍ଟ ବ୍ୟାଙ୍କର କନର ଓ-କାଲାଘାନ। ଏହି ବିଜୟ ପରେ ଦଳ ପକ୍ଷରୁ ୭ ଥର ଜିତିଥିବା ରିପବ୍ଲିକାନ୍ ଦଳର ଡାଭିଡ୍ ସ୍କୁୱିକେର୍ଟଙ୍କ ବିରୋଧରେ ଅମିଶ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ୧୯୬୦ ଦଶକରେ ଅମିଶଙ୍କ ପିତାମାତା ଭାରତରୁ ଯାଇ ଆମେରିକାର ସିକାଗୋ ସହରରେ ବସବାସ କରିଥିଲେ। ଅମିଶଙ୍କ ବାପା ଜୈନ୍ ଏବଂ ମା’ ହିନ୍ଦୁ ଅଟନ୍ତି। ଅମିଶ ମଧ୍ୟ ଗତ ୨୦ ବର୍ଷ ଧରି ଜଣେ ପ୍ରତିଷ୍ଠିତ ଡାକ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହାସହ ସେ ଏରିଜୋନା ନିରାମିଶାଷୀ ଖାଦ୍ୟ ଉତ୍ସବର ପ୍ରତିଷ୍ଠାତା ଅଟନ୍ତି।
Follow Us