ପାଶ୍ଚାତ୍ୟ ଯୋଗାଣ ଲାଇନକୁ ଧ୍ବଂସ କରିଦେଇଛୁ: ରୁଷ୍

ପାଶ୍ଚାତ୍ୟ ଯୋଗାଣ ଲାଇନକୁ ଧ୍ବଂସ କରିଦେଇଛୁ: ରୁଷ୍

ମସ୍କୋ: ପାଶ୍ଚାତ୍ୟ ଅସ୍ତ୍ରରେ ୟୁକ୍ରେନ୍ ବାହାସ୍ଫୋଟ ମାରୁଥିବା ବେଳେ ସେହି ଅସ୍ତ୍ର ଯେମିତି ଆଉ ୟୁକ୍ରେନ୍‌ରେ ପହଞ୍ଚି ନ ପାରିବ, ତାହାର ବ୍ୟବସ୍ଥା କରାଯାଇଛି ବୋଲି ରୁଷ୍ ପକ୍ଷରୁ କୁହାଯାଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାସେଙ୍କୋଭ ସୋମବାର କହିଛନ୍ତି, ରୁଷ୍ ସେନା ୟୁକ୍ରେନ୍‌ର ଛଅଟି ଟ୍ରାକ୍ସନ ସବ୍‌ଷ୍ଟେସନକୁ ଧ୍ବଂସ କରିଦେଇଛି। ଏହି ୟୁନିଟଗୁଡ଼ିକ ରେଲୱେକୁ ଶକ୍ତି ଯୋଗାଉଥିଲା, ଯାହା ଜରିଆରେ ବିଦେଶୀ ଅସ୍ତ୍ରଶସ୍ତ୍ର ଓ ସାମରିକ ଯନ୍ତ୍ରାଂଶ ଡନବାସରେ ଥିବା ୟୁକ୍ରେନ୍ ସେନା ପାଖରେ ପହଞ୍ଚୁଥିଲା।

କୋନାସେଙ୍କୋଭଙ୍କ କହିବା ଅନୁସାରେ ବିମାନ ଆକ୍ରମଣ ଦ୍ବାରା ୪ଟି କମାଣ୍ଡ ସେଣ୍ଟର ସମେତ ୟୁକ୍ରେନ୍‌ର ୨୭ଟି ମିଲିଟାରୀ ଟାର୍ଗେଟ୍‌କୁ ବି ଧ୍ବଂସ କରାଯାଇଛି। ତେବେ ୟୁକ୍ରେନ୍‌ର ପାଶ୍ଚାତ୍ୟ ସମର୍ଥକମାନେ ପ୍ରକୃତରେ କେଉଁ ବାଟ ଦେଇ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି, ତାହା ପ୍ରକାଶ କରି ନ ଥିବା ବେଳେ ରିପୋର୍ଟ ଅନୁସାରେ ଅଧିକାଂଶ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ପୋଲାଣ୍ଡ ବାଟ ଦେଇ ଆସୁଛି। ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କମାଣ ଓ ବିମାନ-ବିଧ୍ବଂସୀ କ୍ଷେପଣାସ୍ତ୍ର, ଆର୍ମୋର୍ଡ ଭେହିକ୍‌ଲ, କମାଣ ପ୍ରଭୃତି ଯୋଗାଉଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ଓ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ରବିବାର ପ୍ରଥମ କରି କିବ୍ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe