କିବ୍ : ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲ୍କୁ ସଂପୂର୍ଣ୍ଣ ଛାରଖାର କରିଦେବା ପରେ ରୁଷ୍ ବାହିନୀ ଏବେ ପୂର୍ବ ୟୁକ୍ରେନ୍ରେ ବଡ଼ ଧରଣର ଧ୍ବଂସଲୀଳା ଆରମ୍ଭ କରିଛି। ଗତରାତିରୁ ଶତାଧିକ ସ୍ଥାନରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ପୂର୍ବ ୟୁକ୍ରେନ୍ର ଖାରକିଭ୍, ଲୁହାଂସ୍କ, ନିପ୍ରୋ, ମାକିଭ୍କା, ଜାପୋରିଝିଆ ଆଦି ସହରରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ଲୁହାଂସ୍କ ଅଂଚଳର ଏକ ସ୍କୁଲ ପ୍ରାୟ ମାସେ ହେଲା ସ୍ଥାନୀୟ ବାସିନ୍ଦା ଓ ସେନାର ଆଶ୍ରୟସ୍ଥଳ ପାଲଟିଥିବା ବେଳେ ରବିବାର ଦିନ ସେଠାରେ ରୁଷ୍ର ବୋମାମାଡ଼ ଯୋଗୁଁ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଲିହୋଲିବକା ସ୍ଥିତ ଏହି ସ୍କୁଲ୍ ଅଂଚଳରେ ୟୁକ୍ରେନ୍ ସେନାର ଗତିବିଧି ବଢ଼ିବା ପରେ ରୁଷ୍ ଏହାକୁ ଟାର୍ଗେଟ୍ କରି ବୋମାମାଡ଼ କରିଥିଲା। ଏଠାରେ ପ୍ରାୟ ଶତାଧିକ ଲୋକ ଆଶ୍ରୟ ନେଇଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ଦକ୍ଷିଣ ୟୁକ୍ରେନ୍ର ଓଡ଼ିଶା ସହରରେ ୟୁକ୍ରେନ୍ ସେନାର ପ୍ରାୟ ସବୁ ପ୍ରତିଷ୍ଠାନକୁ ରୁଷ୍ ନଷ୍ଟ କରିଛି। ସହରରେ ତୁହାକୁ ତୁହା କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ ହେଉଛି ଏବଂ ମାରିୟୁପୋଲ୍ ସ୍ଥିତ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟକୁ ମଧ୍ୟ ରୁଷ୍ ଖୁବ୍ଶୀଘ୍ର ନିଜ ନିୟନ୍ତ୍ରଣକୁ ନେବାକୁ ଯୋଉଛି । ଏହି ପ୍ଲାଣ୍ଟ୍ରେ ଆଶ୍ରୟ ନେଇଥିବା ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପ୍ରକ୍ରିୟା ଆଜି ଶେଷ ହୋଇଛି। ତେବେ ୟୁକ୍ରେନ୍ ସୈନିକମାନେ ସେଠାରେ ଫସି ରହିଛନ୍ତି। ରୁଷ୍ ଏହି ସୈନିକମାନଙ୍କୁ ଜୀବିତ ଧରିବା ପାଇଁ ଯୋଜନା କରୁଛି। ଜାତିସଂଘ ତତ୍ତ୍ବାବଧାନରେ ଷ୍ଟିଲ୍ ପ୍ଲାଣ୍ଟ୍ରୁ ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ଶେଷ କରିବା ପାଇଁ ରୁଷ୍ ସେନା ସମସ୍ତ ସହାୟତା ଯୋଗାଇ ଦେଇଥିଲା।
Follow Us