Image Courtesy of India Today
ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ତାରିଖ ଦିନ ଅଭିନେତ୍ରୀ କଙ୍ଗନା ରଣାୱତ୍ ଯାତ୍ରା କରିଥିବା ଚଣ୍ଡିଗଡ଼-ମୁମ୍ବାଇ ବିମାନରେ କେତେକ ସାମ୍ବାଦିକ ନିରାପତ୍ତା ଏବଂ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିଥିବା ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ଇଣ୍ଡିଗୋକୁ ନିର୍ଦେଶ ଦେଇଛି।
‘ଡିଜିସିଏ’ର ଜଣେ ଅଧିକାରୀ କହିଛନ୍ତି, ବୁଧବାର ଦିନ ୬ଇ୨୬୪ ବିମାନରେ ସାମ୍ବାଦିକମାନେ ପରସ୍ପର ଲଗାଲଗି ହୋଇ ଠିଆ ହୋଇଥିବାର ଦୃଶ୍ୟ କେତେକ ଭିଡିଓରେ ଦେଖିଛୁ। ଏହା ନିରାପତ୍ତା ଏବଂ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ ପରି ମନେହେଉଛି। ଏ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଆମେ ଇଣ୍ଡିଗୋକୁ କହିଛୁ।
‘ଡିଜିସିଏ’ର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଚଣ୍ଡିଗଡ଼-ମୁମ୍ବାଇ ବିମାନର ଆଗ ଧାଡ଼ିର ଗୋଟିଏ ସିଟ୍ରେ କଙ୍ଗନା ରଣାୱତ୍ ବସିଥିଲେ।
Image Courtesy of Deccan Heraldକେତେକ ରାଜନୈତିକ ଦଳରୁ ଧମକ ପାଇବା ସତ୍ତ୍ବେ ମୁମ୍ବାଇ ଯିବେ ବୋଲି ଘୋଷଣା କରି ସେପ୍ଟେମ୍ବର ୯ ତାରିଖ ଦିନ କଙ୍ଗନା ରଣାୱତ୍ ତାଙ୍କ ବାସସ୍ଥାନ ସହର ମନାଲିରୁ ମୁମ୍ବାଇ ଯାତ୍ରା କରିଥିଲେ।
ଏ ସଂକ୍ରାନ୍ତରେ ଇଣ୍ଡିଗୋ ବିବୃତି ଜାରି କରି କହିଛି ଯେ, ସେପ୍ଟେମ୍ବର ୯ ତାରିଖ ଦିନ ଚଣ୍ଡିଗଡ଼ରୁ ମୁମ୍ବାଇ ଯାତ୍ରା କରିଥିବା ୬ଇ୨୬୪ ବିମାନ ସହ ସମ୍ପୃକ୍ତ ପ୍ରସଙ୍ଗରେ ଆମେ ‘ଡିଜିସିଏ’କୁ ବିବୃତି ପ୍ରଦାନ କରିସାରିଛୁ। ଆମେ ପୁଣି ଥରେ କହୁଛୁ ଯେ, ଫଟୋଉଠାଇବା କଟକଣା, ସାମାଜିକ ଦୂରତ୍ବ ଅବଲମ୍ବନ ଏବଂ ସାମଗ୍ରିକ ନିରାପତ୍ତା ବଜାୟ ରଖିବା କଥା ଘୋଷଣା କରି ଆମ କ୍ୟାବିନ୍ କ୍ରୁ ତଥା କ୍ୟାପ୍ଟେନ୍ ଆବଶ୍ୟକ ନିୟମ ଅନୁସରଣ କରିଥିଲେ।
ବିମାନ ଉଡ଼ାଣ ପର ରିପୋର୍ଟରେ ଏହି ଘଟଣାରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ନିୟମ ମଧ୍ୟ ପାଳନ କରିଥିବା କଥା ଇଣ୍ଡିଗୋ କହିଛି।
ଇଣ୍ଡିଗୋ ଆହୁରି ମଧ୍ୟ କହିଛି ଯେ, ଯାତ୍ରୀମାନଙ୍କୁ ନିରାପଦ, ସମସ୍ୟାରହିତ ଅନୁଭୂତି ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ।
Follow Us