ମୋଦୀ କ୍ୟାବିନେଟରେ ପୁଣି ସ୍ଥାନ ପାଇଲେ ଧର୍ମେନ୍ଦ୍ର

ମୋଦୀ କ୍ୟାବିନେଟରେ ପୁଣି ସ୍ଥାନ ପାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର( ସୁବ୍ରତ ଦାସ) : ନରେନ୍ଦ୍ର ମୋଦୀଙ୍କ ପୂର୍ବବର୍ତ୍ତୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସଦସ୍ୟ ଶ୍ରୀ ପ୍ରଧାନ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା କରି ନ ଥିଲେ ମଧ୍ୟ ରାଜ୍ୟ ତମାମ ବୁଲି ଦଳ ଲାଗି ବ୍ୟାପକ ପ୍ରଚାର କରିଥିଲେ।

୨୦୧୪ ମସିହାରେ ପ୍ରଥମେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ବିଜେପିର ଯୁବନେତା ଶ୍ରୀ ପ୍ରଧାନ ପରେ କ୍ୟାବିନେଟ୍‌ ପାହ୍ୟାକୁ ପଦୋନ୍ନତି ପାଇଥିଲେ ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ସଫଳ ରୂପାୟନ ଏବଂ ପାରାଦୀପ ତୈଳ ବିଶୋଧାନାଗାର ପ୍ରତିଷ୍ଠା ଶ୍ରୀ ପ୍ରଧାନଙ୍କର ଦୁଇ କୃତିତ୍ୱ ବୋଲି ଧରାଯାଏ।

publive-image

୫୦ ବର୍ଷ ବୟସ୍କ ଶ୍ରୀ ପ୍ରଧାନ ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିଲେ। ପ୍ରଥମେ ସେ ୧୯୮୩ ମସିହାରେ ରାଜ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନେତୃତ୍ୱ ନେଇଥିଲେ। ପରେ ୨୦୦୦ ମସିହା ନିର୍ବାଚନରେ ସେ ପାଲଲହଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ଦେବଗଡ଼ ଆସନରୁ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ପୂର୍ବରୁ ତାଙ୍କର ପିତା ବରିଷ୍ଠ ବିଜେପି ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନ ୧୯୯୮ ଏବଂ ୧୯୯୯ ନିର୍ବାଚନରେ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରାଷ୍ଟମନ୍ତ୍ରୀ ହୋଇଥିଲେ।

କନିଷ୍ଠ ପ୍ରଧାନ ନିଜ ପିତାଙ୍କ ପଦାଙ୍କ ଅନୁସରଣ କରି ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ତେବେ ଏହାପରେ ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରେ ସେ ସଫଳ ହୋଇ ନଥିଲେ ମଧ୍ୟ ୨୦୧୨ ମସିହାରେ ବିହାରରୁ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ୨୦୧୮ ମସିହାରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କର ‘ନବରତ୍ନ’ ମଧ୍ୟରୁ ଶ୍ରୀ ପ୍ରଧାନଙ୍କୁ ଅନ୍ୟତମ ‘ରତ୍ନ’ ରୂପେ ଧରାଯାଏ। ଓଡ଼ିଶାରେ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ‘ପୋଷ୍ଟର୍‌ ବଏ’’ ରୂପେ ଚିତ୍ରିତ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe