ଦକ୍ଷତା ବିକାଶକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

Advertisment
ଦକ୍ଷତା ବିକାଶକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ନୂଆଦିଲ୍ଲୀ : ଦକ୍ଷତା ବିକାଶକୁ ଜନଆନ୍ଦୋଳନ ଭାବେ ପରିଣତ କରିବା ତଥା ଦେଶର ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀରେ ଦକ୍ଷତା ଆଧାରରେ ସୁଦୃଢ଼ କରିବା ଏବଂ ଶିଳ୍ପ ବିପ୍ଳବ ୪.୦ରୁ ଉତ୍ପନ୍ନ ‌ହେଉଥିବା ଆହ୍ବାନ ପାଇଁ ପ୍ରସ୍ତୁତ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସୋମବାର କୌଶଳ ବିକାଶ ଓ ସୂଚନା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ସପ୍ତମରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂଆ ନୂଆ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଡିଜିଟାଲ ସ୍କିଲିଂ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି।

ଏହି ଡିଜିଟାଲ ସ୍କିଲିଂ ପଦକ୍ଷେପ ଅଧୀନରେ ଇଣ୍ଟର୍ଣ୍ଣସିପ୍ ଓ ଆପ୍ରେଣ୍ଟିସ୍‌ସିପ୍ ଜରିଆରେ ଛାତ୍ରଛାତ୍ରୀଙ୍କର କୌଶଳ ବିକାଶ (ସ୍କିଲିଂ), ପୁନଃକୌଶଳ ବିକାଶ (ରିସ୍କିଲିଂ) ଏବଂ ଉଚ୍ଚତର କୌଶଳ ବିକାଶ (ଅପ୍‌ସ୍କିଲିଂ) ଉପରେ ଗୁରୁତ୍ବ ଦିଆଯିବ। ଏହାପରେ ଏକ କୋଟି ଛାତ୍ରଛାତ୍ରୀଙ୍କୁ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ନିଯୁକ୍ତି ଦିଆଯିବ। ଶତାଧିକ ପ୍ରଯୁକ୍ତି କର୍ପୋରେଟ୍‌ ଓ ନିର୍ମାଣ କମ୍ପାନି ମାଗଣାରେ ଉଦୀୟମାନ ପ୍ରଯୁକ୍ତି ସାର୍ଟିଫିକେସନ ନିମନ୍ତେ ଏହି ପ୍ଲାଟଫର୍ମକୁ ଆସିସାରିଲେଣି। ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ବ ଅଭୂତପୂର୍ବ ପରିବର୍ତ୍ତନ ଭିତରଦେଇ ଗତି କରୁଛି। ସେଥିପାଇଁ କୌଶଳ ବିକାଶ, ପୁନଃକୌଶଳ ବିକାଶ ଏବଂ ଉଚ୍ଚତର କୌଶଳ ବିକାଶର ଆବଶ୍ୟକତା ଦେଖାଦେଇଛି।

ଆମେ କୌଶଳ ବିକାଶକୁ ଏକ ଗଣ-ଆନ୍ଦୋଳନରେ ପରିଣତ କରିବୁ। ଭବିଷ୍ୟତର କୁଶଳୀ ଜନଶକ୍ତି ସୃଷ୍ଟି କରିବା ଲାଗି ସରକାର ଏକ ସୁବିଧା ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଶିଳ୍ପକ୍ଷେତ୍ର, ଶିକ୍ଷାକ୍ଷେତ୍ର ଏବଂ ନୀତି-ନିର୍ମାତାମାନେ ମିଳିତଭାବେ ଏଥିରେ ସହଯୋଗ କରୁଛନ୍ତି। ମନ୍ତ୍ରୀ ପୁଣି କହିଲେ ଯେ, ଭାରତ ଏପରି କୁଶଳୀ ଜନଶକ୍ତି ସୃଷ୍ଟି କରିବ ଯାହା ଭାରତ ସମେତ ବିଶ୍ବର ଆବଶ୍ୟକତା ପୂରଣ କରିବ ଏବଂ ପ୍ରଯୁକ୍ତି ଆମକୁ ଏ କ୍ଷେତ୍ରରେ ସମର୍ଥ କରାଇବ। ସବୁ ଭାରତୀୟ ଭାଷାରେ ପ୍ରଯୁକ୍ତିବିଦ୍ୟାର ପରିପ୍ରକାଶ ପାଇଁ ମନ୍ତ୍ରୀ କମ୍ପାନିଗୁଡ଼ିକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe