ସୁରଟ: ଗୋଟିଏ ମାସ୍କ କିଣିବା ପାଇଁ ଆପଣ କେତେ ଟଙ୍କା ଖର୍ଚ କରିପାରିବେ ? ମାସ୍କ କିଣିବା ପାଇଁ ଆପଣଙ୍କ ବଜେଟ୍ କେତେ ?? ଅତି ବେଶୀରେ ୨୦୦ ମି ୫୦୦ ଟଙ୍କା ହୋଇପାରେ। ଆମେ ଏକଥା ଏଥିପାଇଁ ପଚାରୁଛୁ କାରଣ ଏହା ମଧ୍ୟରେ ବଜାରକୁ ଆସିଛି ଲକ୍ଷାଧିକ ଟଙ୍କା ମୂଲ୍ୟର ମାସ୍କ। ହଁ, ହୀରା ଖଚିତ ମାସ୍କ, ଯାହାର ଦାମ ରହିଛି ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ୨ ଲକ୍ଷ ଟଙ୍କା । ଏପରି ହୀରା ଖଚିତ ମାସ୍କକୁ ତିଆରି କରିଛନ୍ତି ସୁରଟର ଜଣେ ହୀରା ଅଳଙ୍କାର ବ୍ୟବସାୟୀ । ବର୍ତ୍ତମାନ କରୋନା ସମୟରେ ବିଭିନ୍ନ ଡିଜାଇନର ମାସ୍କ ପାଇଁ ବରାଦ ରହୁଛି । ଏପରି ସ୍ଥିତିରେ ସୁରଟର ହୀରା ବ୍ୟବସାୟୀଙ୍କ ନିକଟକୁ ଆସିଥିଲେ ବିବାହ କରିବାକୁ ଯାଉଥିବା ଦମ୍ପତି । ଆଉ ଖାସ୍ ହୀରା ଖଚିତ ମାସ୍କ ପାଇଁ ବରାଦ ଦେଇଥିଲେ । ଆଉ ଚାହିଦା ଅନୁସାରେ ସୁରଟର ହୀରା ବ୍ୟବସାୟୀ ତିଆରି କରିଛନ୍ତି ହୀରା ଖଚିତ ମାସ୍କ । ଏହା ଦେଖିବାକୁ ଠିକ୍ ମାସ୍କ ଭଳି । କିନ୍ତୁ ତା’ ଉପରେ ସଜେଇ ହୋଇଛି ହୀରା ।
ତେବେ ଏହା ଆଗରୁ ପୁନେର ଜଣେ ବ୍ୟକ୍ତି ସୁନାର ଏକ ମାସ୍କ ତିଆରି କରି ପିନ୍ଧିଥିଳେ, ଯାହାର ଦାମ୍ ଏହି ହୀରା ଖଚିତ ମାସ୍କ ଠାରୁ ଅଧିକ ରହିଥିଲା । ସୁନା ମାସ୍କର ଦାମ୍ ଥିଲା ୨ ଲକ୍ଷ ୮୯ ହଜାର ଟଙ୍କା । ଦିନକୁ ଦିନ କରୋନା ମହାମାରୀ ବ୍ୟାପିଥିବା ବେଳେ ସମସ୍ତଙ୍କ ମଧ୍ୟରେ ମାସ୍କ ବ୍ୟବହାର ନେଇ ସଚେତନତା ମଧ୍ୟ ବଢୁଛି । ଏହାରି ମଧ୍ୟରେ ଦିନକୁ ଦିନ ବିଭିନ୍ନ ଡିଜାଇନର ଦାମୀ ମାସ୍କ ସବୁ ବଜାରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଫାସନ୍ ଡିଜାଇନରମାନେ ଆକର୍ଷଣୀୟ ଡିଜାଇନର ମାସ୍କ ପିନ୍ଧିବାରେ ଲାଗି ପଡ଼ିଛନ୍ତି।
Follow Us