Image Courtesy of Flipboard
କୋଲ୍କାତା: ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପ୍ରସଙ୍ଗରେ ‘ବିଜେପି’ ଓ ‘ଟିଏମ୍ସି’ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ‘ବିଜେପି’ ବିଧାୟକ ଶୁଭେନ୍ଦୁ ଅଧିକାରୀ ଲୋକସଭା ‘ଟିଏମ୍ସି’ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମାଲୋଚନା କରି କହିଛନ୍ତି, ୨୦୧୦ରେ ଜ୍ଞାନେଶ୍ବରୀ ଦୁର୍ଘଟଣା ବେଳେ ରେଳମନ୍ତ୍ରୀ ଥିବା ତୁମ ପିଉସୀ (ମମତା ବାନାର୍ଜୀ) କ’ଣ ଇସ୍ତଫା ଦେଇଥିଲେ?
ଅଭିଷେକଙ୍କୁ ବିଦ୍ରୂପ କରି ସେ କହିଛନ୍ତି: ପିଉସୀ, ରାଜନୈତିକ ଦଳ ଭାବେ ଦର୍ଶାଯାଉଥିବା ପାରିବାରିକ ବ୍ୟବସାୟର ମାଲିକାଣୀ ହୋଇଥିବାରୁ ରାଜନୀତିକୁ ପ୍ରବେଶ କରିଥିବା ଜଣେ ବୁଦ୍ଦୁ, ଅର୍ଦ୍ଧ-ଶିକ୍ଷିତ ବ୍ୟକ୍ତିଙ୍କଠାରୁ ଆଉ ଅଧିକ କ’ଣ ଆଶା କରାଯାଇପାରେ?
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ଗ୍ରାମ ନିକଟରେ ୧୨୮୪୧-ଶାଲିମାର୍-ଚେନ୍ନାଇ କରମଣ୍ଡଳ ସୁପର୍ଫାଷ୍ଟ୍ ଏକ୍ସ୍ପ୍ରେସ୍, ୧୨୮୬୪- ସାର୍ ଏମ୍. ବିଶ୍ବେଶ୍ବରାୟ ଟର୍ମିନାଲ୍-ହାୱଡ଼ା ସୁପର୍ଫାଷ୍ଟ୍ ଏକ୍ସ୍ପ୍ରେସ୍ ଓ ଗୋଟାଏ ମାଲ୍ଗାଡ଼ି ମଧ୍ୟରେ ଧକ୍କା ହେବାରୁ ୨୮୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଉଭୟ ଯାତ୍ରୀବାହୀ ଟ୍ରେନ୍ ପଶ୍ଚିମବଙ୍ଗର ହୋଇଥିବାରୁ ମୃତାହତଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗବାସୀ।
Image Courtesy of India Todayଦୁର୍ଘଟଣା ଘଟିବା ପରେ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତାଙ୍କ ଟିମ୍ ପଠାଇବା ସହିତ ଶନିବାର ଦିନ ନିଜେ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ତାଙ୍କର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହିତ ଯୁକ୍ତି ହୋଇଥିଲା। ଦୁର୍ଘଟଣା ପାଇଁ ‘ତୃଣମୂଳ କଂଗ୍ରେସ’ ରେଳମନ୍ତ୍ରୀ ବୈଷ୍ଣବଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରୁଛି।
‘ବିଜେପି’ କହୁଛି, ଜ୍ଞାନେଶ୍ବରୀ ଦୁର୍ଘଟଣା ବେଳେ ମମତା ଇସ୍ତଫା ଦେଇ ନ ଥିବାରୁ ସେ ଓ ତାଙ୍କ ଦଳ ଅଶ୍ବିନୀ ବୈଷ୍ଣବଙ୍କୁ ଇସ୍ତଫା ଦେବା ଲାଗି କହିବାର କୌଣସି କାରଣ ନାହିଁ।
ଶୁଭେନ୍ଦୁ କହିଛନ୍ତି, ଉକ୍ତ ଦୁର୍ଘଟଣାର ଅଭିଯୁକ୍ତଙ୍କ ନାଁରେ ‘ସିବିଆଇ’ ଦାଖଲ କରିଥିବା ଚାର୍ଜସିଟ୍ କଥା ମୁଁ ମନେପକାଇ ଦେଉଛି। ସେ ହେଉଛନ୍ତି ତୁମ ଦଳର ଛତ୍ରଧର ମହତୋ। ୨୦୧୦ରେ ସେ ଜେଲ୍ରୁ ମୁକୁଳିବା ପରେ ତୁମ ପିଉସୀ ତାଙ୍କୁ ତୁମ ଦଳର ରାଜ୍ୟ କମିଟିରେ ସାମିଲ କଲେ। ସେତେବେଳେ ତୁମ ପିଉସୀ ଥିଲେ ରେଳମନ୍ତ୍ରୀ।
ଅଶ୍ବିନୀଜୀ ଜଣେ ‘ଆଇଆଇଟି’ ଶିକ୍ଷାର୍ଥୀ ଏବଂ ୧୯୯୪ ବ୍ୟାଚ୍ର ପୂର୍ବତନ ‘ଆଇଏଏସ୍’ ଅଫିସର୍। ଏଭଳି ଦୁଃସମୟରେ ଦାୟିତ୍ବ ସମ୍ଭାଳିବା ପାଇଁ ସେ ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ଶୁଭେନ୍ଦୁ କହିଛନ୍ତି।
Follow Us