ଭୁବନେଶ୍ବର: ଓଡ଼ିଶାରୁ ଦେଶର ଗୁରୁତ୍ବପୂର୍ଣ୍ଣ ରାଜ୍ୟକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ଓଡ଼ିଶାର ପ୍ରଗତି ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସିଏମ୍ଓ ଦ୍ବାରା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କରାଯାଇଥିବା ଟୁଇଟ୍ରେ କୁହାଯାଇଛି ଯେ, ଭୁବନେଶ୍ବରରୁ ସିଧାସଳଖ ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରାଖଣ୍ଡର ଡେରାଡୁନ, କେରଳର କୋଚିକୁ ବିମାନ ଉଡ଼ିବ। ସେହିପରି ଭୁବନେଶ୍ବରରୁ ରାଜସ୍ଥାନର ଜୟପୁର, ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମଧ୍ୟ ବିମାନ ଉଡ଼ିବ।
ଭୁବନେଶ୍ବରରୁ ଦେଶର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ସେବା ମିଳିବା ଦ୍ବାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ମିଳିବ। ବାହାର ରାଜ୍ୟରୁ ଓଡ଼ିଶାକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ିବ। ସେହିପରି ଓଡ଼ିଶାରୁ ଲୋକେ ଡେରାଡୁନ, କୋଚି, ଜୟପୁର ଆଦି ସ୍ଥାନକୁ ଯାଇ ସେଠାକାର ପର୍ଯ୍ୟଟନସ୍ଥଳୀ ସହଜରେ ବୁଲିପାରିବେ। ଦୂରସ୍ଥାନକୁ ଟ୍ରେନ୍ରେ ଯିବା ପାଇଁ ବହୁ ସମୟ ଲାଗୁଥିବାରୁ ନୂଆ ବିମାନ ଚଳାଚଳ ଯୋଗୁଁ ଯାତ୍ରୀଙ୍କୁ ଅଧିକ ସୁବିଧା ଓ ସହଜ ହେବ।
ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରୁ ହାଇଦ୍ରାବାଦ, ଛତିଶଗଡ଼ର ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧା ବିମାନ ସେବା ମିଳିବ। ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ଶ୍ରୀ ମାଝୀ କହିଛନ୍ତି।
Follow Us