director who made Amitabh Bachchan 'don'is nomore Photograph: (sambad.in)
ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡକୁ ପ୍ରଥମ ‘ଡନ୍’ ଦେଇଥିବା ନିର୍ଦ୍ଦେଶକ ଆଉ ଦୁନିଆରେ ନାହାନ୍ତି। ୧୯୭୮ ମସିହାରେ ‘ଡନ୍’ ଫିଲ୍ମ ତିଆରି କରିଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ତାଙ୍କ କ୍ୟାରିଅରରେ କେବଳ ଗୋଟିଏ ବଡ଼ ଫିଲ୍ମ ତିଆରି କରିଥିଲେ ଯାହା ସୁପରହିଟ୍ ହୋଇଥିଲା।
ଫିଲ୍ମର ଗୀତଗୁଡ଼ିକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା ଏବଂ ଆଜି ମଧ୍ୟ ଏହି ଫିଲ୍ମର ସିକ୍ୱେଲ୍ ତିଆରି ହେଉଛି। ଏହି ଦୁଃଖଦ ଅବସରରେ, ଡନ୍ ଫ୍ରାଞ୍ଚାଇଜିକୁ ଏକ ନୂତନ ଦିଗଦର୍ଶନ ଦେଇଥିବା ଫରହାନ୍ ଅଖତର ମଧ୍ୟ ତାଙ୍କ ମୃତ୍ୟୁରେ ମୂଳ ଫିଲ୍ମର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଡନ୍ର ପରଦା ପଛରେ ଥିବା ନାୟକ ଆଉ ନାହାନ୍ତି ବୋଲି ଚନ୍ଦ୍ର ବାରୋଟଙ୍କ ପତ୍ନୀ ଦୀପା ବାରୋଟ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଚନ୍ଦ୍ର ବାରୋଟ ଗତ ୭ ବର୍ଷ ଧରି ପଲ୍ମୋନାରୀ ଫାଇବ୍ରୋସିସ୍ ନାମକ ଏକ ରୋଗରେ ପୀଡିତ ଥିଲେ।
ଏହା ଏକ ବିରଳ ଫୁସଫୁସ ଜନିତ ରୋଗ ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଫୁସଫୁସ ଫୁଲିଯାଏ ଏବଂ ନିଶ୍ୱାସ ନେବାରେ କଷ୍ଟ ହୁଏ। ତାଙ୍କୁ ଗୁରୁ ନାନକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ଏବଂ ସେ ଡାକ୍ତର ମନୀଷ ଶେଟ୍ଟୀଙ୍କ ତତ୍ତ୍ୱାବଧାନରେ ଥିଲେ। ପୂର୍ବରୁ, ତାଙ୍କୁ ଜସଲୋକ ହସ୍ପିଟାଲରେ ମଧ୍ୟ ଚିକିତ୍ସା କରାଯାଉଥିଲା।
‘ଡନ୍-୩’ ନିର୍ଦ୍ଦେଶକ ଫରହାନ୍ ଅଖତର ଚଳଚ୍ଚିତ୍ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ବାରୋଟଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଚଷମା ପିନ୍ଧିଥିବାର ଦେଖାଯାଉଛି।
ଅଧିକ ପଢ଼ନ୍ତୁ: କୁକୁର ବୁଲାଇ ମାସକୁ ରୋଜଗାର ସାଢ଼େ ୪ ଲକ୍ଷ
ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ଏହା ଜାଣି ବହୁତ ଦୁଃଖ ଲାଗୁଛି ଯେ, ମୂଳ ‘ଡନ୍’ ତିଆରି କରିଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟ ଜୀ ଆଉ ଏହି ଦୁନିଆରେ ନାହାନ୍ତି। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଫରହାନଙ୍କ ସହିତ ‘ଡନ୍’ଫିଲ୍ମର ଅନେକ ପ୍ରଶଂସକ ଏନେଇ ଶୋକ ପ୍ରକାଶ କରିଛନ୍ତି।
୪୭ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା 'ଡନ୍' ଏକ ଏପରି ଫିଲ୍ମ ଥିଲା ଯାହା ବଲିଉଡରେ ଫିଲ୍ମ ନିର୍ମାଣ ଧାରାକୁ ବଦଳାଇ ଦେଇଥିଲା। ରିପୋର୍ଟ ଅନୁସାରେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା। ଏହି ଫିଲ୍ମକୁ ଏତେ ପସନ୍ଦ କରାଯାଇଥିଲା ଯେ, ପରେ ‘ଡନ୍’ ଶାହାରୁଖ ଖାନ୍ଙ୍କୁ ନେଇ ପୁନଃନିର୍ମାଣ କରାଯାଇଥିଲା। ଏହାର ଦୁଇଟି ସ୍ବିକେଲ ମୁକ୍ତିଲାଭ କରିଥିଲା। ଏବେ ‘ଡନ୍-୩’ ମଧ୍ୟ ନୂତନ ଅଭିନେତାଙ୍କୁ ନେଇ ନିର୍ମାଣ କରାଯାଇଛି। ଏହା ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି। ଏହାର ନିର୍ଦ୍ଦେଶନା ଫରହାନ୍ ଅଖତର ଦେଉଛନ୍ତି।
ଅଧିକ ପଢ଼ନ୍ତୁ:ସର୍ବୋତ୍ତମ ଚିକିତ୍ସା ପାଇଁ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି: ପ୍ରଭାତୀ ପରିଡ଼ା
DON | director-chandra-barot | amitabhbachchan
Follow Us