ବିହାର ନିର୍ବାଚନ ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୋଷ ତେଜିଲା

ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ଅନେକ   ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌ ) ନେତା ଏବଂ ସେମାନଙ୍କ ସମର୍ଥକ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ...

Untitled-3

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ଅନେକ   ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌ ) ନେତା ଏବଂ ସେମାନଙ୍କ ସମର୍ଥକ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନ ବାହାରେ ରୁଣ୍ଡ ହୋଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପୁଲିସ ଏବଂ ସୁରକ୍ଷାବାହିନୀ ନୀତୀଶଙ୍କ ବାସଭବନ ବାହାରେ ଦଉଡ଼ି ଟାଣି ଘେରାବନ୍ଦି କରି ରଖିଛନ୍ତି ଏବଂ ଆନ୍ଦୋଳନକାରୀଙ୍କ ଆଗମନକୁ ନିୟନ୍ତ୍ରଣ କରିଛନ୍ତି। ତେବେ କଟକଣା ସତ୍ତ୍ବେ ଅନେକ ନେତା ଏବଂ ଦଳୀୟ କର୍ମୀ  ନୀତୀଶ କୁମାରଙ୍କ ବାସଭବନ ବାହାରେ ଆଜି ଧାରଣାରେ ବସିବା ଦଳର ଅଡ଼ୁଆ ବଢ଼ାଇଛି।   ନେତାଙ୍କ ସମର୍ଥକମାନେ ସ୍ଲୋଗାନ୍‌ ଦେଇ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ଟି‌କେଟ ଦାବି କରିଛନ୍ତି । ବିଭିନ୍ନ ନିର୍ବାଚନମଣ୍ଡଳୀରେ ବାହାର ଲୋକଙ୍କୁ ଟିକେଟ ଦେବା ନିଷ୍ପତ୍ତିକୁ ବିରୋଧ କରି କିଛି ନେତା ଆଜି ଦଳ ବିରୋଧରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ପୂର୍ବତନ ବିଧାୟକ ଗୋପାଳ ମଣ୍ଡଳ ନୀତୀଶଙ୍କ ବାସଭବନ ବାହାରେ ଧାରଣାରେ ବସିଛନ୍ତି। କୁର୍ଥା, ନବୀନଗର ଏବଂ ଦରଭଙ୍ଗାର କର୍ମୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଭାଗଲପୁର ଜିଲ୍ଲାର ଗୋପାଳପୁର ଆସନକୁ ଲଗାତାର ଚତୁର୍ଥ ଥର ପାଇଁ ପ୍ରତିନିଧିତ୍ବ କରୁଥିବା ମଣ୍ଡଳ ସାମ୍ବାଦିକମାନଙ୍କୁ  କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବସି ରହିବେ। ମଣ୍ଡଳ କହିଛନ୍ତି, ମୁଁ ବିଶ୍ବାସ କରୁଛି ଯେ ମୋ ଟିକେଟ୍‌ ପ୍ରତ୍ୟାଖ୍ୟାନ କରାଯିବନି। ଯଦି ସୁରକ୍ଷାକର୍ମୀ ଚା‌ହିବେ ଲାଠିମାଡ଼ କରିପାରିବେ। କିନ୍ତୁ ମୁଁ ଏଠାରୁ ଉଠିବିନାହିଁ ବୋଲି ମଣ୍ଡଳ କହିଛନ୍ତି। 

ଅନ୍ୟଜଣେ ଜେଡିୟୁ ନେତା ତଥା ଭାଗଲପୁର ବିଧାୟକ ଅଜୟ ମଣ୍ଡଳ ନୀତୀଶ କୁମାରଙ୍କୁ ଏକ ଚିଠିଦେଇ ତାଙ୍କ ସଂସଦୀୟ ଆସନରୁ ଇସ୍ତଫା ଦେବାପାଇଁ ପ୍ରସ୍ତାବ ଦେଇଛନ୍ତି। ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଅଜୟ ମଣ୍ଡଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ,  ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ନଭେମ୍ବର ୧୪ ତାରିଖରେ ଫଳାଫଳ ଆସିବ।

କ‌ଂଗ୍ରେସର ଜିଦ୍‌ ପାଇଁ ଅଡ଼ୁଆରେ ଆର୍‌ଜେଡି

ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଆସନ ବୁଝାମଣା ଅଡ଼ୁଆ ତୁଟୁନାହିଁ। କଂଗ୍ରେସ ଦଳ ଚଳିତ ନିର୍ବାଚନରେ ଆସନକୁ ନେଇ ଆର୍‌ଜେଡି ପାଖରେ ଅତି କଡ଼ା ମୂଲଚାଲ ରଖିଛି। ଏଥିପାଇଁ ଆର୍‌ଜେଡିର ଅଡ଼ୁଆ ବଢ଼ିଛି। ଇତିମଧ୍ୟରେ ପାଟନାରେ ଗତରାତିରେ ଏକ ହାଇଡ୍ରାମା ହୋଇଛି। ଆର୍‌ଜେଡି ଏହାର କିଛି ନେତାଙ୍କୁ ଦିଆଯାଇଥିବା ଟିକେଟ ପ୍ରତ୍ୟାହାର କରିଛି। ମିଳିଥିବା ସୂଚନାନୁଯାୟୀ ତେଜସ୍ବୀ ଯାଦବ ଦିଲ୍ଲୀରେ କଂଗ୍ରେସ ସହ ଆଲୋଚନା ଚଳାଇଥିବା ବେଳେ ‌ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବ ଦଳୀୟ ନେତାମାନଙ୍କୁ ଟିକେଟ ଦେଇଥିଲେ। କିଛି କଂଗ୍ରେସ ନେତା ଏହି ଘଟଣାକୁ ନେଇ ତେଜସ୍ବୀଙ୍କ ନିକଟରେ ଅସ‌ନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ତେଜସ୍ବୀ ଯାଦବ ପାଟନାରୁ ଫେରିବାପରେ ଦଳୀୟ ଚିହ୍ନ ପାଇଥିବା ‌ନେତାମାନଙ୍କୁ ତାଙ୍କ ମା’ ରାବଡ଼ି ଦେବୀଙ୍କ ବାସଭବନକୁ ଡାକି ସେମାନଙ୍କୁ ପୂର୍ବରୁ ଦିଆଯାଇଥିବା ଦଳୀୟ ଟିକେଟ ଫେରାଇ ଦେବାପାଇଁ କହିଥିଲେ। 

Untitled-4

ଉଲ୍ଲେଖଯୋଗ୍ୟ, ସୋମବାର ଦିଲ୍ଲୀରେ ତେଜସ୍ବୀ ଯାଦବ ଏବଂ ବରିଷ୍ଠ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। କିନ୍ତୁ ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ମିଳିଥିବା ସୂଚନାନୁଯାୟୀ ତେଜସ୍ବୀ କଂଗ୍ରେସ ଟିମ୍‌କୁ ଜଣାଇ ଦେଇଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ମେଣ୍ଟ ଆଗକୁ ବଢ଼ି ପାରିବନି। ଅନ୍ୟପକ୍ଷେ କଂଗ୍ରେସ ୬୧ରୁ ୬୩ ଆସନ ନିଜ ପାଖରେ ରଖିବା ସଂକ୍ରାନ୍ତ ଲକ୍ଷ୍ୟକୁ ସ୍ପଷ୍ଟ କରିଦେଇଛି। କଂଗ୍ରେସ କହଲଗାଓଁ, ନରକଟିୟାଗଞ୍ଜ ଏବଂ ୱାରସିଲିଗଞ୍ଜ ଭଳି କେତେକ ଆସନକୁ ନିଜ ଦଖଲରେ ରଖିବାକୁ ଚାହୁଛି। କିନ୍ତୁ ଆରଜେଡି କଂଗ୍ରେସର ୬୧ ଆସନ ଦାବିରେ ରାଜିଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀ ଏହା କଂଗ୍ରେସକୁ ଦେବାପାଇଁ ଚାହେନାହିଁ। ଆରଜେଡି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ବୈଠକରେ କୌଣସି ବୁଝାମଣା ହୋଇନଥିବାରୁ ଉଭୟ ଦଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। 

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

 ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତାଲିକାରେ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଥିବାବେଳେ ଦଳ ବାଚସ୍ପତି ନନ୍ଦ କିଶୋର ଯାଦବଙ୍କୁ ପାଟନା ସାହେବ ଆସନରୁ ବାଦ୍‌ ଦେଇଛି। ସୂଚନାଯୋଗ୍ୟ, ବାଚସ୍ପତି ନନ୍ଦ କିଶୋର ୨୦୨୦ରୁ ଏହି ଆସନକୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ପାଟନା ସାହେବରୁ ବିଜେପି ଚଳିତ ଥର ରତ୍ନେଶ କୁଶୱାହାଙ୍କୁ ପ୍ରାର୍ଥୀ କରିଛି। ସମ୍ରାଟ ଚୌଧୁରୀ ତାରାପୁର ଏବଂ ସିହ୍ନା ଲଖିସରାଇ ଆସନରୁ ନିର୍ବାଚନ ଲଢ଼ିବେ। 
ତାଲିକାରେ ଥିବା ଅନ୍ୟ ବରିଷ୍ଠ ନେତାମାନେ ହେଉଛନ୍ତି ରାମ କୃପାଳ ଯାଦବ ଯିଏ କି ଦାନାପୁରରୁ ନିର୍ବାଚନ ଲଢ଼ିବେ। ପ୍ରେମ କୁମାର ଗୟାରୁ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ କଟିହାରରୁ, ଆଲୋକ ରଞ୍ଜନ ଝା ସହର୍ସରୁ ଏବଂ ମଙ୍ଗଳ ପାଣ୍ଡେ ସିୱାନରୁ ନିର୍ବାଚନ ଲଢ଼ିବେ। ଅନ୍ୟପ‌କ୍ଷେ ଦଳ ହିସୁଆ ଆସନରେ ଅନିଲ କୁମାରଙ୍କୁ ପ୍ରାର୍ଥୀ କରିଛି। ଉଲ୍ଲେଖଯୋଗ୍ୟ, ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିବାର କିଛି ଘଣ୍ଟା ପୂର୍ବରୁ ଚୌଧୁରୀ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ବିସ୍ତୃତ ଆଲୋଚନା ପରେ ଏନ୍‌ଡିଏ ଦଳ ମାନଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଉଲ୍ଳେଖଯୋଗ୍ୟ, ରବିବାର ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ।

Untitled-5

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe