image credit : Livelaw
ନୂଆଦିଲ୍ଲୀ : ବିବାଦୀୟ ଟୁଲ କିଟକୁ ନେଇ ଦିଶା ରବିଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଆଜି ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୩ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।
ଆଜି ତାଙ୍କର ୫ ଦିନିଆ ହାଜତ ମିଆଦ ସମାପ୍ତ ହେବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ ପାତିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ପୁଲିସ ପକ୍ଷରୁ ତାଙ୍କୁ ଆଉ କିଛିଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଆକାଶ ଜୈନ ପୁଲିସର ଆବେଦନକୁ ଗ୍ରହଣ କରିବା ସହ ଦିଶାଙ୍କୁ ଆଉ ୩ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଥିଲେ।
ଏହି ଶୁଣାଣି ଅବସରରେ ସରକାରୀ ଓକିଲ ଇରଫାନ ଅହମ୍ମଦ କହିଥିଲେ ଯେ ଆସନ୍ତା ମଙ୍ଗଳବାର ଅର୍ଥାତ ଫେବ୍ରୁଆରି ୨୨ରେ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ସହଅଭିଯୁକ୍ତ ଶାନ୍ତନୁ ମୁଲୁକଙ୍କୁ ନୋଟିସ ଜାରି କରାଯାଇଛି । ସେ କହିଛନ୍ତି ଯେ ଜେରା ସମୟରେ ଦିଶା ନିଜର ଦୋଷ ଅନ୍ୟ ଅଭିଯୁକ୍ତମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରିଥିଲା ।
ବରିଷ୍ଠ ଓକିଲ ସିଦ୍ଧାର୍ଥ ଅଗ୍ରଓ୍ବାଲ ଦିଶା ପକ୍ଷରୁ ମାମଲା ଲଢୁଛନ୍ତି । ଆସନ୍ତାକାଲି ଦିଶାଙ୍କ ଜାମିନ ଆବେଦନର ବିଚାର ସେସନ୍ସ କୋର୍ଟରେ ହେବ।
୨୧ ବର୍ଷୀୟ ଦିଶାଙ୍କୁ କୃଷି ଆନ୍ଦୋଳନରେ ବ୍ୟବହୃତ ବିବାଦୀୟ ଟୁଲ କିଟ୍ ସଂପାଦନା ପାଇଁ ବାଙ୍ଗାଲୁରୁଠାରୁ ଗିରଫ କରାଯାଇଥିଲା।
Follow Us