କର୍ଣ୍ଣାଟକ କଂଗ୍ରେସରେ ଅଲ୍ ଇଜ୍ ନଟ୍ ୱେଲ୍: କ୍ଷମତାକୁ ନେଇ ଛକାପଞ୍ଝା, ବଢୁଛି ଗୋଷ୍ଠୀକନ୍ଦଳ

rsgh

Photograph: (Sambad.in)

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍ ଠାକ୍ ନାହିଁ । ପୂର୍ବରୁ ମୁଖ୍ଯମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ଯରେ କ୍ଷମତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏବେ ଏହି କଥା ପୁଣି ସାମ୍ନାକୁ ଆସିଛି । ଯେତେବେଳେ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଆଉ କଂଗ୍ରେସ ସରକାର ଗଢିଥିଲା । ସେତେବେଳେ ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ଅଢେଇ ବର୍ଷ ଲେଖାଏଁ ଶାସନ ଭାର ସମ୍ଭାଳିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ସେହି କଥାକୁ ପୁଣି ମନେପକାଇ ଦେଇଛନ୍ତି ଶିବକୁମାର ।

କର୍ଣ୍ଣାଟକ କଂଗ୍ରେସରେ ଏବେ ଗୋଷ୍ଠୀ ବିବାଦ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଗୋଷ୍ଠୀ ଶାସନ କ୍ଷମତା ଭାଗ କରାଯିବ ନାହିଁ ବୋଲି ଦୃଢୋକ୍ତି ଦେଖାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟ କଂଗ୍ରେସ ସଭାପତି ରହିଥିବା ଡି.କେ ଶିବକୁମାରଙ୍କ ସମର୍ଥକମାନେ ଶାସନ ମୁଖ୍ୟ ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କୁ ମନେଇବାକୁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି । 


ଅନ୍ୟପକ୍ଷରେ ଦୁଇ ପ୍ରଭାବଶାଳୀ ବ୍ୟକ୍ତି ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ଲଢେଇରୁ ତୃତୀୟ ବ୍ୟକ୍ତି ଲାଭ ପାଇବା ଆଶାରେ ରହିଥିଲେ ଅନ୍ୟତମ ବରିଷ୍ଠ ମନ୍ତ୍ରୀ ଜି.ପରମେଶ୍ବର । ଜଣେ ଦଳିତ ଓ ପୁରୁଣା କଂଗ୍ରେସ କର୍ମୀ ହିସାବରେ ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ନିଜକୁ ହକଦାର ବୋଲି ପ୍ରତିପାଦିତ କରୁଥିଲେ । 

ମାତ୍ର ସୁନା ଚୋରାଚାଲାଣ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରାମ୍ୟା ରାଓଙ୍କ ସହ ଟଙ୍କା ନେଣଦେଣ ଅଭିଯୋଗ ଆଧାରରେ ପରମେଶ୍ବରଙ୍କ ଶିକ୍ଷାନୁଷ୍ଠାନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଛି । ତେଣୁ ତାଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଆଶାରେ ରହିଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ନେତୃତ୍ବ ପରିବର୍ତ୍ତ ସମ୍ପର୍କରେ ଦଳୀୟ ହାଇକମାଣ୍ଡ କେଉଁ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe