Image Courtesy of India Today
ନୂଆଦିଲ୍ଲୀ: ଦେଶରେ କୁକୁର କାମୁଡ଼ିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଜୁଲାଇ ୨୨ ପର୍ଯ୍ୟନ୍ତ ଦେଶରେ ୧୪ ଲକ୍ଷ ୫୦ ହଜାର ୬୬୬ କୁକୁର କାମୁଡ଼ିବା ମାମଲା ରୁଜୁ ହୋଇଛି। ଏଥିରେ ତାମିଲନାଡୁରେ ସର୍ବାଧିକ ୨,୫୧,୫୧୦ କୁକୁର କାମୁଡ଼ିବା ମାମଲା ରିପୋର୍ଟ ହୋଇଛି। ତାମିଲନାଡୁ ପରେ ମହାରାଷ୍ଟ୍ରରେ ସର୍ବାଧିକ କୁକୁର କାମୁଡ଼ିବା ମାମଲା ରହିଛି। ମହାରାଷ୍ଟ୍ରରେ ୨,୩୧,୫୩୧ ଲୋକଙ୍କୁ କୁକୁର କାମୁଡ଼ିଛନ୍ତି। ଏଥି ସହିତ ଆନ୍ଧ୍ରପ୍ରଦେଶରେ ୧,୧୫,୨୪୧ ଏବଂ ପଶ୍ଚିମବଙ୍ଗରେ ୧,୩୩,୬୫୩ ମାମଲା ରୁଜୁ ହୋଇଛି। ଏହି ତାଲିକାରେ ଆଣ୍ଡାମାନ ଏବଂ ନିକୋବରରେ ଅତି କମରେ ୨୦୫ଟି ମାମଲା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ୪୮ ହଜାର ୧୮୨ ଜଣଙ୍କୁ କୁକୁର କାମୁଡ଼ିଛି ।
ଦେଶରେ କୁକୁର କାମୁଡ଼ିବା ମାମଲାକୁ ଦୃଷ୍ଟିରେ ରଖି ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସଂସଦରେ କହିଛନ୍ତି ଯେ ସରକାର ଜାତୀୟ ରେବିଜ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚଳାଉଛନ୍ତି। ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଏହି ସଂଖ୍ୟା ଲୋକସଭାରେ ଉପସ୍ଥାପିତ ହୋଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଏହି ଚାରି ବର୍ଷ ମଧ୍ୟରେ ପ୍ରାୟ ୧.୫ କୋଟି ଲୋକଙ୍କୁ ବୁଲା ପଶୁମାନେ କାମୁଡ଼ିଥିଲେ। ଏହି ଚାରି ବର୍ଷ ମଧ୍ୟରେ, ୨୦୧୯ରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ବୁଲା ପଶୁମାନେ କାମୁଡ଼ିଥିଲେ |
୨୦୧୯ ରେ, ୭୨ ଲକ୍ଷରୁ ଅଧିକ ଲୋକଙ୍କୁ ବୁଲା ପଶୁମାନେ କାମୁଡିଥିବାବେଳେ ୨୦୨୦ ମସିହାରେ ୪୬ ଲକ୍ଷ, ୨୦୨୧ ମସିହାରେ ୧୭ ଲକ୍ଷ ଏବଂ ୨୦୨୨ ମସିହାରେ (ଜୁଲାଇ ସୁଦ୍ଧା) ୧୪ ଲକ୍ଷ ଲୋକଙ୍କୁ ବୁଲା ପଶୁମାନେ କାମୁଡ଼ିଥିଲେ | ଓଡିଶା କଥା ବିଚାରକୁ ନେଲେ ୨୦୧୯ ରେ, ୧ ଲକ୍ଷ ୭୭ ହଜାରରୁ ଅଧିକ ଲୋକଙ୍କୁ ବୁଲା ପଶୁମାନେ କାମୁଡିଥିବାବେଳେ ୨୦୨୦ ମସିହାରେ ୧ ଲକ୍ଷ ୫୫ ହଜାର, ୨୦୨୧ ମସିହାରେ ୫୯ ହଜାର ଏବଂ ୨୦୨୨ ମସିହାରେ (ଜୁଲାଇ ସୁଦ୍ଧା) ୪୮ ହଜାର ଲୋକଙ୍କୁ ବୁଲା ପଶୁମାନେ କାମୁଡ଼ିଥିଲେ |
Follow Us