ମାଲିକଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ି ପାଖକୁ ପୁଲିସକୁ ବାଟ କଢ଼ାଇ ନେଲା କୁକୁର

ମାଲିକଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ି ପାଖକୁ ପୁଲିସକୁ ବାଟ କଢ଼ାଇ ନେଲା କୁକୁର

Image Courtesy of NDTV

ୱାସିଂଟନ୍‌: ମାଲିକଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ି ପାଖକୁ ପୁଲିସକୁ ବାଟ କଢ଼ାଇ ନେଇଥିବା ଗୋଟାଏ ପୋଷା କୁକୁରକୁ ନିୟୁ ହାମ୍ପ୍‌ସାୟର୍‌ରେ ଭୂୟସୀ ପ୍ରଶଂସା କରାଯାଉଛି। କାର୍‌ ଦୁର୍ଘଟଣା ଘଟିବା ପରେ ତା’ର ମାଲିକ ଆହତ ହେବା ସହ ସନ୍ନିପାତ ଅବସ୍ଥାକୁ ଚାଲିଆସିଥିଲେ।

‘ଶିଲୋ ଶେଫର୍ଡ’ ପ୍ରଜାତିର ‘ଟାଇନ୍‌ସ୍‌ଲି’ ନାମକ ଗୋଟିଏ ବର୍ଷର ସେ ମାଈ ପୋଷା କୁକୁରଟି ସୋମବାର ରାତିରେ ନିଉହାମ୍ପ୍‌ସାୟର୍‌ ଓ ଭର୍ମଣ୍ଟ୍‌ ସୀମାନ୍ତରେ ପଡ଼ିଥିବା ରାଜପଥରେ ଏମତି ଦୌଡ଼ିଲା ଯେ, ଦୁର୍ଘଟଣା ଘଟିବା ଆଶଙ୍କାରେ ଗାଡ଼ିଚାଳକମାନେ ରାଜପଥ ନିୟମ ଅନୁଯାୟୀ ଗାଡ଼ି ଚଳାଇବାକୁ ବାଧ୍ୟ ହୋଇଥିଲେ।

ରାଜପଥରେ କୁକୁରଟାଏ ଦୌଡୁଥିବା ଦେଖି ପୁଲିସ ଅଧିକାରୀମାନ‌େ ଧରିବାକୁ ଉଦ୍ୟମ କଲେ। କିନ୍ତୁ, ସେ ଦୌଡ଼ି ଦୌଡ଼ି ପୁଲିସମାନଙ୍କୁ ଭର୍ମଣ୍ଟ୍‌କୁ ବାଟ କଢ଼ାଇ ନେଇଥି‌ଲା। ସେଠାରେ ପୁଲିସ ଅଧିକାରୀମାନେ ‘ଗାର୍ଡ ରେଲ୍‌’ରେ ଫାଙ୍କା ଦେଖିବା ସହ ଓଲଟି ପଡ଼ି ନଷ୍ଟ ହୋଇଯାଇଥିବା ପିକ୍‌-ଅପ୍‌ ଟ୍ରକ୍‌ଟିଏ ଦେଖିଥିଲେ।

ସେଥିରୁ ପୁଲିସମାନେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଦୁଇଜଣଙ୍କ ମଧ୍ୟରୁ ଜଣେ ଥିଲେ ଟାଇନ୍‌ସ୍‌ଲିର ଖାଉନ୍ଦ। ସେ ସନ୍ନିପାତ ଅବସ୍ଥାକୁ ଚାଲିଆସୁଥିଲେ।

publive-image Image Courtesy of WCAX

ଏ ପ୍ରସଙ୍ଗରେ ନ୍ୟୁ ହାମ୍ପ୍‌ସାୟର୍‌ ପୁଲିସ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛି, ପୁଲିସମାନଙ୍କୁ ଦୁର୍ଘଟଣାସ୍ଥଳ ଏବଂ ଗାଡ଼ିରେ ଥିବା ଆହତମାନଙ୍କ ପାଖକୁ ଟାଇନ୍‌ସ୍‌ଲି ପୁଲିସକୁ ବାଟ କଢ଼ାଇ ନେଇଥିବା ତୁରନ୍ତ ସ୍ପଷ୍ଟ ହୋଇଯାଇଥିଲା।

ନ୍ୟୁ ହାମ୍ପ୍‌ସାୟର୍‌ ପୁଲିସ ଅଧିକାରୀ ଡାନିଏଲ୍‌ ବାଲ୍‌ଡ୍‌ସାର୍‌ ସ୍ଥାନୀୟ ନିଉଜ୍‌ ଚାନେଲ୍‌ ‘ଡବ୍ଲୁସିଭିବି’କୁ କହିଛନ୍ତି, କୁକୁର ଯେମିତ ସୂଚାଉ ଥିଲା- ମୋ ପଛେ ପଛେ ଆସ। ଆମେ ତାହାହିଁ କଲୁ। ସେଠାରେ ପହଞ୍ଚି ‘ଗାର୍ଡରେଲ୍‌’ ଭାଙ୍ଗିଯାଇଥିବା ଦେଖି କୁକୁର ଚାହୁଁଥିବା ଜାଗାକୁ ଅନାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି କାବା ହୋଇଯାଇଥିଲୁ।

ଜରୁରୀକାଳୀନ ଉଦ୍ଧାରକାରୀ କର୍ମୀମାନେ ଆହତମାନଙ୍କର ଡାକ୍ତରୀ ଚିକିତ୍ସା ଆରମ୍ଭ କରିବା ବେଳେ ତା’ର ମାଲିକଙ୍କ ପାଖରେ ଟାଇନ୍‌ସ୍‌ଲି ଧୀରସ୍ଥିର ହୋଇ ବସିରହିଲା ବୋଲି ହାର୍ଟଫୋର୍ଡ ଦମକଳ ବିଭାଗର କ୍ୟାପ୍‌ଟେନ୍‌ ଜ୍ୟାକ୍‌ ହେଜେସ୍‌ କହିଛନ୍ତି।

ସୌଭାଗ୍ୟକୁ ଦୁର୍ଘଟଣାରେ ଟାଇନ୍‌ସ୍‌ଲିର ମାଲିକ କେମ୍‌ ଲଣ୍ଡ୍ରି ସେତେ ସାଙ୍ଘାତିକ ଆହତ ହୋଇ ନ ଥିଲେ। ବୁଦ୍ଧିମତା ଏବଂ ପ୍ରଭୁଭକ୍ତି ପ୍ରଦର୍ଶନ କରିଥିବାରୁ ଟାଇନ୍‌ସ୍‌ଲିକୁ ପୁରସ୍କାରସ୍ବରୂପ ହରିଣ ମାଂସ ଖୁଆଇବେ ବୋଲି ଲଣ୍ଡ୍ରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe