ଆମେ ଶକ୍ତିଶାଳୀ ବୋଲି ଡୋକଲାମ୍‌ ସମାଧାନ ସମ୍ଭବ ହେଲା

Advertisment
ଆମେ ଶକ୍ତିଶାଳୀ ବୋଲି ଡୋକଲାମ୍‌ ସମାଧାନ ସମ୍ଭବ ହେଲା

ନୂଆଦିଲ୍ଲୀ: ନିକଟ ଅତୀତରେ ବିବାଦୀୟ ଡୋକଲାମ୍‌ ଅଞ୍ଚଳରେ ଭାରତ ଏବଂ ଚୀନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଭିନ୍ନ କାରଣକୁ ଶ୍ରେୟ ଦେଇଛନ୍ତି। ସମ୍ପ୍ରତି ଆମ ଦେଶ ଅନ୍ୟମାନଙ୍କ ପାଖରେ ଏକ ବିଶ୍ୱ ଶକ୍ତି ଭାବେ ଉଭା ହୋଇଥିବାରୁ ଏଭଳି ସମସ୍ୟାର ସମାଧାନ ସହଜ ହୋଇପାରିଲା। ଭାରତ ଯଦି କୌଣସି ପରିସ୍ଥିତିରେ କୋହଳ ବା ଦୁର୍ବଳ ମନୋଭାବ ପୋଷଣ କରିଥାନ୍ତା ତେବେ ଡୋକଲାମ୍‌ ଉତ୍ତେଜନା ଏଡ଼ାଇବା କଷ୍ଟ ହୋଇଥାନ୍ତା ବୋଲି ଶ୍ରୀ ସିଂହ କହିଛନ୍ତି।
ବେଙ୍ଗାଲୁରୁର ରାଜପ୍ରାସାଦ ପଡ଼ିଆରେ ଆୟୋଜିତ ଏକ ସମାବେଶକୁ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଯେ ନିକଟ ଅତୀତରେ ବିଶ୍ୱ ସମୁଦାୟ ପାଖରେ ଭାରତର ଭାବମୂର୍ତ୍ତି ଏବଂ ସମ୍ମାନରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ଆଜି ସମସ୍ତେ ଭାରତକୁ ଅନ୍ୟତମ ବିଶ୍ୱଶକ୍ତିର ମାନ୍ୟତା ଦେବାରେ ଲାଗିଛନ୍ତି। ଏହାର ଫଳସ୍ୱରୂପ ଡୋକଲାମ୍‌ ଠାରେ ଚୀନ୍‌ ସହ ଗତ ଜୁନ୍‌ ମଧ୍ୟଭାଗରୁ ଲାଗି ରହିଥିବା ୭୧ ଦିନର ଉତ୍ତେଜନାର କୂଟନୈତିକ ସମାଧାନ ସମ୍ଭବ ହୋଇପାରିଲା। ଏହା ପରେ ଉଭୟ ଦେଶ ଅନ୍ୟାନ୍ୟ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସହ ବାଣିଜ୍ୟ ଓ କୂଟନୀତି କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲୋଡ଼ିବା ଆରମ୍ଭ କରିଛନ୍ତି। ଏପରିକି ଉନ୍ନତି ପଥରେ ଭାରତ ଓ ଚୀନ୍‌ ସାଙ୍ଗ ହୋଇ ନାଚିବା ଉଚିତ ବୋଲି ଭାରତରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ ମନ୍ତବ୍ୟ ଦେବା ଏହାର ପ୍ରମାଣ ବୋଲି ଶ୍ରୀ ସିଂହ କହିଛନ୍ତି।
ତେବେ ଗୋଟିଏ ପଟେ ଭାରତ-ଚୀନ୍‌ ମଧ୍ୟରେ ସୁସମ୍ପର୍କ ସ୍ଥାପନର ଅୟମାରମ୍ଭ ହୋଇଛି ବୋଲି ଶ୍ରୀ ସିଂହ ଆଶା ପ୍ରକଟ କରିଥିବା ବେଳେ ୧୮୯୦ ମସିହା ବ୍ରିଟେନ୍‌-ଚୀନ୍‌ ସୀମା ଚୁକ୍ତିକୁ ଭାରତ ସମ୍ମାନ ଜଣାଇବାକୁ ଚୀନ୍‌ ଜୋର୍‌ ଦେବା ଘଟଣା ପରିସ୍ଥିତିକୁ ପୁଣି ଗୋଳିଆ କରିବା ଆଶଙ୍କା ସୃଷ୍ଟି ହୋଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସିକ୍କିମ ଗସ୍ତରେ ଚୀନ୍‌ ତୀବ୍ର ପ୍ରତିକ୍ରିୟା ରଖିଛି। ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ତତ୍କାଳୀନ ବ୍ରିଟେନ୍‌-ଚୀନ୍‌ ସୀମା ରାଜିନାମାରେ ସିକ୍କିମ ଅଞ୍ଚଳର ସ୍ଥିତି ସ୍ଥିରୀକୃତ ସରିଛି। ସେହି ଚୁକ୍ତିକୁ ଭାରତ ସମ୍ମାନ ଦେଇ ସତ୍ୟର ସାମନା କରିବାକୁ ଚୀନ୍‌ ପରମର୍ଶ ଦେଇଛି। ତେବେ ପରୋକ୍ଷରେ ସିକ୍କିମ ହିଁ ଚୀନ୍‌ର ଏବଂ ଭାରତ ସେଠାରେ ନିଜର ଆଧିପତ୍ୟ ଜାହିର ନକରିବାକୁ ଚୀନ୍‌ କହିଥିବା ଏଥିରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe