Image Source: India Today
ନୂଆଦିଲ୍ଲୀ: ଭାରତ ସୀମାନ୍ତରେ ଚୀନ୍ ଅବସ୍ଥିତ ନୁହେଁ ବୋଲି କହି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚକିତ ଏବଂ ଚିନ୍ତିତ କରିଥିବା କଥା ଗୋଟାଏ ନୂତନ ପୁସ୍ତକରେ ଦୁଇ ଜଣ ପୁଲିଜର୍ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ଦାବି କରିଛନ୍ତି।
ଟ୍ରମ୍ପ୍ କୁଆଡ଼େ ମୋଦୀଙ୍କୁ କହିଥିଲେ ଆପଣଙ୍କ ସୀମାନ୍ତରେ ଚୀନ୍ ନାହିଁ। ଏ କଥା ଶୁଣି ବିସ୍ମୟରେ ମୋଦୀଙ୍କ ଆଖି ବିସ୍ଫାରିତ ହୋଇଯାଇଥିଲା ବୋଲି ଓ୍ଵାସିଂଟନ୍ ପୋଷ୍ଟ୍ର ସାମ୍ବାଦିକ ଫିଲପ୍ ର୍ୟୁକର୍ ଏବଂ କାରୋଲ୍ ଲିଓନିଙ୍ଗ୍ ‘ଏ ଭେରି ଷ୍ଟେବଲ୍ ଜିନିୟସ୍’ରେ ରିପୋର୍ଟ କରିଛନ୍ତି।
ଟ୍ରମ୍ପ୍ଙ୍କ ମନ୍ତବ୍ୟ ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଚମ୍ବିତ ଓ ଚିନ୍ତିତ ମୁଖଭଙ୍ଗୀ ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା ବୋଲି ର୍ୟୁକର୍ ଏବଂ ଲିଓନିଙ୍ଗ୍ ଲେଖିଛନ୍ତି। ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କର ଜଣେ ସହଯୋଗୀଙ୍କର ମନେହେଲା ବୋଧହୁଏ ମୋଦୀ ସେ ବୈଠକରୁ ଉଠିଗଲେ ଏବଂ କହିଲେ ଏ ଲୋକଟି ବିଶ୍ୱସ୍ତ ନୁହେଁ। ଜଣେ ସହଯୋଗୀ ଭାବେ ମୁଁ ଏହାଙ୍କୁ ହିସାବରେ ରଖିବି ନାହିଁ।
ଏହି ବୈଠକ ପରେ ଓ୍ଵାସିଂଟନ୍ ସହ କୂଟନୈତିକ ରାଜିନାମାରୁ ଭାରତ ପାଦେ ପଛକୁ ହଟିଯାଇଥିବା କଥା ବହିର ଲେଖକମାନଙ୍କୁ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହଯୋଗୀ କହିଛନ୍ତି।
Image Source: News18ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନେକ ଥର ଦେଖା ସାକ୍ଷାତ୍ ହୋଇଛି। କେଉଁ ବୈଠକରେ ଏ ଭଳି କଥା ହୋଇଥିଲା ସେକଥା ଲେଖକଦ୍ୱୟଙ୍କ ବର୍ଣ୍ଣନାରୁ ଜଣାପଡ଼ିନାହିଁ।
ପୂର୍ବରୁ ମଧ୍ୟ ଭାରତୀୟ ଉପମହାଦେଶ ବିଷୟରେ ଟ୍ରମ୍ପ୍ଙ୍କ ଭୂଗୋଳ ଜ୍ଞାନ ଦୁର୍ବଳ ଥିବା କଥା ଜଣାପଡ଼ିଥିଲା। ଗତବର୍ଷ ‘ଟାଇମ୍’ ପତ୍ରିକାର ସାମ୍ବାଦିକ ରିପୋର୍ଟ କରିଥିଲେ- ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଜାଣିବାରେ ନେପାଳ ଓ ଭୁଟାନ ଭାରତ ମଧ୍ୟରେ ଅବସ୍ଥିତ। ସେ କୁଆଡ଼େ ନେପାଳକୁ ‘ନିପିଲ୍’ ଏବଂ ଭୁଟାନ୍କୁ ‘ବଟନ୍’ ବୋଲି ଉଚ୍ଚାରଣ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ଭବତଃ ଫେବ୍ରୁଆରି ମାସରେ ଟ୍ରମ୍ପ୍ଙ୍କ ଭାରତ ଗସ୍ତ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ କଥାବାର୍ତ୍ତା ଚଳାଇଛନ୍ତି।
ଯଦି ଗସ୍ତ ନିଷ୍ପତ୍ତି ଚୂଡ଼ନ୍ତ ହୁଏ, ଏହା ହେବ ୨୦୧୬ରେ କ୍ଷମତାକୁ ଆସିବା ପରେ ଟ୍ରମ୍ପ୍ଙ୍କ ପ୍ରଥମ ଭାରତ ଗସ୍ତ।
Follow Us