Trump Photograph: (Sambad.in)
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଗଭର୍ଣ୍ଣର କେଭିନ ୱାର୍ସଙ୍କ ନାମ ମନୋନିତ କରିଛନ୍ତି। ଆସନ୍ତା ମେ ମାସରେ ବର୍ତ୍ତମାନର ଗଭର୍ଣ୍ଣର ଜେରୋମି ପାୱେଲଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏମିତିରେ ପାୱେଲଙ୍କ ଉପରେ ଟ୍ରମ୍ପ ଅସନ୍ତୁଷ୍ଟ ଥିଲେ ଓ ତାଙ୍କୁ ହଟାଇବାକୁ ବାରମ୍ବାର ଧମକ ଦେଉଥିଲେ। ନୂଆ ଗଭର୍ଣ୍ଣର ହେବାକୁ ଯାଉଥିବା କେଭିନ ହୋଭର ଇନ୍ଷ୍ଟିଚ୍ୟୁଟ୍ର ଅର୍ଥନୀତିରେ ଫେଲୋ ଥିବା ବେଳେ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜନେସ୍ର ଅଧ୍ୟାପକ ଅଛନ୍ତି। ୱାର୍ସ ହେଉଛନ୍ତି ଟ୍ରମ୍ପଙ୍କ ନୀତିର ଜଣେ ବଡ଼ ସମର୍ଥକ। ଫେଡେରାଲ ରିଜର୍ଭ ନିକଟରେ ନେଇଥିବା ଅନେକ ପଦକ୍ଷେପକୁ ସେ କଠୋର ସମାଲୋଚନା କରିଥିଲେ। ଫେଡେରାଲ ରିଜର୍ଭ ଗଭର୍ଣ୍ଣର ପଦ ଦୌଡ଼ରେ ୱାର୍ସଙ୍କ ବ୍ୟତୀତ ଖ୍ରିଷ୍ଟୋଫର ୱାଲର, ବ୍ଲାକ୍ରକ୍ର ରିକ୍ ରାଇଡର୍ ଓ ଅର୍ଥନୀତିଜ୍ଞ କେଭିନ ହାସେଟ୍ ଥିଲେ। ଶେଷରେ ୱାର୍ସ ବାଜି ମାରିଛନ୍ତି। ତାଙ୍କ ନିଯୁକ୍ତିକୁ ଯଦି ଆମେରିକା ସିନେଟ୍ ଅନୁମୋଦନ ଦେବ ତେବେ ସେ ପରବର୍ତ୍ତୀ ଫେଡେରାଲ ରିଜର୍ଭ ମୁଖ୍ୟ ହେବେ। ଟ୍ରମ୍ପଙ୍କ ଅମଳରେ ଫେଡେରାଲ ରିଜର୍ଭର ସ୍ବାଧୀନତା ଉପରେ ପ୍ରଶ୍ନଚିହ୍ନ ରହିଛି। ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ଯେ ତାହା ବିଶ୍ବର ସବୁଠୁ ବଡ଼ ଅର୍ଥନୀତିକୁ ପ୍ରଭାବିତ କରିପାରେ।
ଟ୍ରମ୍ପଙ୍କ ପ୍ରଥମ ପାଳିରେ ଫେଡ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜାନେଟ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କ ଉତ୍ତରାଧିକାରୀ ଭାବେ ସେ ୱାର୍ସକୁ ଚାହୁଥିଲେ। କିନ୍ତୁ ଶେଷରେ ପାୱେଲଙ୍କୁ ଚୟନ କରିଥିଲେ। ନିଜ ଦ୍ବିତୀୟ ପାଳି ଶାସନ ଆରମ୍ଭ କରିବା ପରେ ସୁଧ ହାର କମ୍ କରିବାକୁ ସେ ପାୱେଲଙ୍କ ଉପରେ ଲଗାତାର ଚାପ ପକାଉଛନ୍ତି। ତାଙ୍କ କଥାକୁ ପାୱେଲ ଶୁଣୁନଥିବାରୁ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ଟ୍ରମ୍ପ ଚାହିଲେ ନାହିଁ। ତାଙ୍କ ଉପରେ ରାଗ ଶୁଝାଇବା ଲାଗି ଫେଡ୍ର ମୁଖ୍ୟ କାର୍ଯ୍ୟାଳୟ ମରାମତିରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି।
Follow Us