Imgae Source: Zee News
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ସାମରିକ ଆଡ୍ଡା କିଂବା ତା’ର ନାଗରିକମାନଙ୍କ ଉପରେ ଆକ୍ରମଣ ହେଲେ ବିଶ୍ୱବାସୀ କେବେ ଦେଖି ନ ଥିବା ସେନାବାହିନୀ ଏବଂ ‘ସମ୍ପୂର୍ଣ୍ଣ ନୂଆ’ ଓ ‘ସୁନ୍ଦର’ ଆମେରିକୀୟ ଅସ୍ତ୍ରରେ ଇରାନ୍ ଆକ୍ରମଣ କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ରବିବାର ଦିନ ପ୍ରତିଜ୍ଞା କରିଛନ୍ତି।
ଇରାନର ସେନା କମାଣ୍ଡର୍ ମେଜର୍ ଜେନେରାଲ୍ କାଶିମ୍ ସୁଲେମାନୀଙ୍କୁ ଦୁଇ ଦିନ ତଳେ ଡ୍ରୋନ୍ ଆକ୍ରମଣରେ ହତ୍ୟା କରାଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ୍ ମଧ୍ୟରେ ବିବାଦ ତେଜିଛି। ମୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ୍ର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନି ମଧ୍ୟ ଘୋଷଣା କରିଥିଲେ।
ଆୟୋତୋଲ୍ଲାଙ୍କ ଧମକର ପ୍ରତ୍ୟୁତ୍ତରରେ ଟ୍ରମ୍ପ୍ ଉପରୋକ୍ତ କଥା କହିଛନ୍ତି। ସେ ଗୁରୁତ୍ୱାରୋପ କରି କହିଛନ୍ତି ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ସାମରିକ ଉପକରଣ ବାବଦରେ ୨ ଟ୍ରିଲିୟନ୍ ଆମେରିକୀୟ ଡଲାର୍ ବ୍ୟୟ କରିଛି। ଏବଂ ଆମେରିକୀୟ ସେନାବାହିନୀ ବିଶ୍ୱର ସର୍ବଶ୍ରେଷ୍ଠ ସେନାବାହିନୀ ଭାବେ ପରିଗଣିତ ହୁଅନ୍ତି।
Image Source: India Todayଶନିବାର ଦିନ ଟୁଇଟ୍ କରି ଟ୍ରମ୍ପ୍ ଲେଖିଥିଲେ ଯେ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ଆଡ୍ଡା ଉପରେ ଆକ୍ରମଣ କରିବାକୁ ଇରାନ୍ ଭାରି ସାହସ ଦେଖାଇ କହୁଛି। କିନ୍ତୁ, ସେ ଜାଣିବା ଦରକାର ପ୍ରତିଆକ୍ରମଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୫୨ଟି ଇରାନୀୟ ସ୍ଥାନ ଚୟନ କରିସାରିଛି। ସେଗୁଡ଼ିକ ମଧ୍ୟରୁ କେତେକ ସ୍ଥାନ ଇରାନ୍ ଏବଂ ଇରାନ୍ର ସଂସ୍କୃତି ନିମନ୍ତେ ଖୁବ୍ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ଉପରେ ଆକ୍ରମଣ ହେଲେ ଇରାନ୍ ଭୀଷଣ ଦୁର୍ଦ୍ଦଶା ଭୋଗିବ।
ଟ୍ରମ୍ପ୍ ପୁଣି କହିଥିଲେ: ଯୁକ୍ତରାଷ୍ଟ୍ର ଆମେରିକା ଆଉ ଧମକ ଣୁଣିବାକୁ ଚାହୁଁନି! ଯେଉଁ ୫୨ଟି ସ୍ଥାନ ଆକ୍ରମଣ ପାଇଁ ଚୟନ କରାଯାଇଛି, ସେଗୁଡ଼ିକ ୧୯୭୯ ମସିହାରେ ତେହେରାନ୍ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରୁ ନିଆଯାଇ ଇରାନ୍ରେ ପଣବନ୍ଦୀ ରଖାଯାଇଥିବା ୫୨ଜଣ ଆମେରିକୀୟଙ୍କ ଲାଗି ପ୍ରତିଶୋଧ ଭାବେ ବିବେଚନା କରାଯାଇଛି।
Follow Us