ଅରୁଣାଚଳ ଅସ୍ତିତ୍ୱକୁ କେବେ ବି ଗ୍ରହଣ କରିନୁ: ଚୀନ୍‌

Advertisment
ଅରୁଣାଚଳ ଅସ୍ତିତ୍ୱକୁ କେବେ ବି ଗ୍ରହଣ କରିନୁ: ଚୀନ୍‌

ନୂଆଦିଲ୍ଲୀ: ଡୋକଲାମ୍‌ ବିବାଦ ପରେ  ଏବେ ଚୀନ୍‌ ଅରୁଣାଚଳ ପ୍ରଦେଶକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି କରିବାକୁ ଚାହୁଛି ଏବଂ ଏଥିପାଇଁ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ଜାରି ରଖିଛି। ଆଜି ଚୀନ୍‌ ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ କହିଛି ଯେ ଏଭଳି କୌଣସି ପ୍ରଦେଶର ଅସ୍ତିତ୍ୱ ଅଛି ବୋଲି ଚୀନ୍‌ କେବେ ବି ସ୍ୱୀକାର କରିଛି ଏବଂ ଏହି ଅଂଚଳ ଦକ୍ଷିଣ ତିବ୍ଦତର ଏକ ଅଂଶ। ଅରୁଣାଚଳ ପ୍ରଦେଶରେ ତୁହାକୁ ତୁହା ଅତିକ୍ରମଣ କରୁଥିବା ଚୀନ୍‌ର ଏଭଳି ବୟାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ାଇବ ଏବଂ ଦ୍ୱିପାକ୍ଷିକ ସଂପର୍କ ଏହାଦ୍ୱାରା ଗୁରୁତର ପ୍ରଭାବିତ ହେବ ବୋଲି ଆଶଙ୍କା ରହିଛି । ଭାରତ-ଚୀନ୍‌ ସୀମା ଆଲୋଚନାର କେତେକ ସ୍ୱାଭାବିକ ସର୍ତ୍ତ ଏବଂ ଅନ୍ତର୍ଜାତୀୟ ସୀମାକୁ ସମ୍ମାନ ଦେବା ନେଇ ପୂର୍ବରୁ ରହିଥିବା ନିୟମକୁ ଏବେ ଚୀନ୍‌ ଉଲ୍ଲଂଘନ କରିଛି। ଭାରତର ଏକ ଅଭିନ୍ନ ରାଜ୍ୟର ଅସ୍ତିତ୍ୱକୁ ପ୍ରତ୍ୟାଖ୍ୟାନ କରିବା ପରେ ଏ ନେଇ ଭାରତ ସରକାର ମଧ୍ୟ ଚୀନ୍‌କୁ କଡ଼ା ଜବାବ ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି।

ନିକଟରେ ଚୀନ୍‌ ସେନା ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ବିଭିନ୍ନ ମେସିନ୍‌ ସହ  ଅରୁଣାଚଳ ପ୍ରଦେଶରେ ଭାରତୀୟ  ଅଂଚଳର ୨ ଶହ ମିଟର ଭିତରକୁ ପଶି ଆସିଥିଲା। ଭାରତୀୟ ସେନାର କଡ଼ା ବିରୋଧ ପରେ ଚୀନ୍‌ ସେନା  ପଛକୁ ହଟିବାକୁ ବାଧ୍ୟ ହୋଇଥିଲୋ। ସିୟାଙ୍ଗ ଜିଲ୍ଲାରେ ହୋଇଥିବା  ଏହି ଅନୁପ୍ରବେଶ ଉଦ୍ୟମ ଚୀନ୍‌ର ବିସ୍ତାରବାଦୀ ଯୋଜନାର ଏକ ଅଂଶ ହୋଇଥିବା ବେଳେ ଏଭଳି କୌଣସି ଯୋଜନାକୁ ସାକାର ହେବାକୁ ଦିଆଯିବ ନାହିଁ ବୋଲି ସୀମା ସୁରକ୍ଷା ବାହିନୀ ସ୍ପଷ୍ଟ କରିଦେଇଛି।  ଭାରତ ଏବଂ ଚୀନ୍‌ର ପ୍ରକୃତ ନିୟନ୍ତ୍ରଣ ରେଖାର ୩ ହଜାର ୪୮୮ କିଲୋମିଟର ଅଂଚଳରେ ସୀମା ବିବାଦ ରହିଛି । ୨୨ ଡିସେମ୍ବରରେ  ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ଚୀନ୍‌ ପ୍ରତିପକ୍ଷଙ୍କ ସହିତ ନୂଆଦିଲ୍ଲୀରେ ୨୦ତମ ଭାରତ-ଚୀନ୍‌ ସୀମା ବୈଠକରେ ଆଲୋଚନା କରୁଥିବା ବେଳେ ଅରୁଣାଚଳରେ ଚୀନ୍‌ ସେନା ଅତିକ୍ରମଣ କରିଥିଲା। ଚୀନ୍‌-ଭାରତ ସଂପର୍କକୁ ଅଧିକ ପାରଦର୍ଶୀ କରିବା ପାଇଁ ଚାଲିଥିବା ଉଦ୍ୟମରେ ଏଭଳି କାର୍ଯ୍ୟ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି ।  ଗତବର୍ଷ ୧୬ ଜୁନ୍‌ରୁ  ଆରମ୍ଭ ହୋଇଥିବା ଡୋକଲାମ ବିବାଦ ଦୁଇଦେଶ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିଲା। ଭୁଟାନ ଅଂଚଳକୁ ନିଜ ଦଖଲକୁ ନେବାକୁ ଚୀନ୍‌ର ଷଡ଼ଯନ୍ତ୍ରକୁ ଭାରତୀୟ ସେନା ପଣ୍ଡ କେରିଦେବା ପରେ ଚୀନ୍‌ ତୁହାକୁ ତୁହା ଯୁଦ୍ଧ ଧମକ ଦେଇଥିଲା। ତେବେ ଏଥିରେ ଅବିଚଳିତ ଭାରତ ଅନ୍ତର୍ଜାତୀୟ କୂଟନୀତିରେ ନିଜର ଶ୍ରେଷ୍ଠତା  ବଳରେ ଚୀନ୍‌କୁ ପଛକୁ ହଟିବାକୁ ବାଧ୍ୟ କରିଥିବାରୁ ଏବେ ଅରୁଣାଚଳକୁ ଚୀନ୍‌ ଟାର୍ଗେଟ୍‌ କରିଛି।  ଅରୁଣାଚଳକୁ ନେଇ ଚୀନ୍‌ ନୂଆ ବିବାଦ ସୃଷ୍ଟି କରି ଚୀନ୍‌ ଭାରତକୁ ଚାପଗ୍ରସ୍ତ ରଖିବାକୁ ଚାହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe