Image Source: The Times of India
ଜେନେଭା: ସାରା ବିଶ୍ବ ଏବେ କୋଭିଡ୍ ଟିକା ପାଇଁ ବ୍ୟଗ୍ର। ଟିକା ବାହାର କରିବାପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। କିଛି ରାଷ୍ଟ୍ର ମଧ୍ୟ କେଉଁ ମାସ ସୁଦ୍ଧା ଟିକା ଆସିବ ତାହା କହି ସାରିଛନ୍ତି। ଏଭଳି ଏକ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) 'ହୁ' ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। 'ହୁ'ର ଜଣେ ମୁଖ୍ୟ ବିଶେଷଜ୍ଞ ମାଇକ୍ ରୢାନ୍ କହିଛନ୍ତି , କରୋନା ଟିକା ପାଇଁ ଗବେଷକମାନେ ପ୍ରକ୍ରିୟା ଜାରି ରଖିଛନ୍ତି ଏବଂ କାର୍ଯ୍ୟରେ ମଧ୍ୟ ବେଶ୍ ଅଗ୍ରଗତି ହୋଇଛି। କିଛି କ୍ଷେତ୍ରରେ କୋଭିଡ୍ ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି।
ତେବେ ଏହା ସତ୍ତ୍ବେ ୨୦୨୧ ପୂର୍ବରୁ ପ୍ରଥମ କୋଭିଡ୍ ଟିକା ପାଇଁ ଆଶା ରଖିବା ଠିକ୍ ନୁହେଁ। ସଠିକ୍ ଟିକା ବଣ୍ଟନ ନିଶ୍ଚିତ କରିବାପାଇଁ ଡବ୍ଲ୍ୟୁଏଚ୍ଓ କାମ କରୁଛି। କିନ୍ତୁ ଏହି ସମୟରେ ଭାଇରସ୍ ବ୍ୟାପିବା କମ୍ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରତିଦିନ ବିଶ୍ବରେ ସଂକ୍ରମଣର ନୂଆ ରେକର୍ଡ ସୃଷ୍ଟି ହେଉଛି। ତେଣୁ ଭାଇରସ୍କୁ ରୋକିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଡବ୍ଲ୍ୟୁଏଚ୍ଓର ଏମର୍ଜେନ୍ସି ପ୍ରୋଗ୍ରାମ୍ ମୁଖ୍ୟ ମାଇକ୍ ରୢାନ୍ କହିଛନ୍ତି, ଟିକା ପାଇଁ ଆମେ କାର୍ଯ୍ୟରେ ଭଲଭାବେ ଅଗ୍ରଗତି କରିଛେ। ଅନେକ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି। କୌଣସି ପରୀକ୍ଷଣ ପର୍ଯ୍ୟାୟ ବିଫଳ ହୋଇନାହିଁ । କିନ୍ତୁ ବାସ୍ତବତା ହେଉଛି ଲୋକମାନଙ୍କୁ ଟିକାକରଣ ପାଇଁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯିବ। ରୢାନ୍ କହିଛନ୍ତି , ଟିକା କ୍ଷେତ୍ରରେ ଅତ୍ୟନ୍ତ ସ୍ପଷ୍ଟ ଏବଂ ସ୍ବଚ୍ଛ ହେବାକୁ ପଡ଼ିବ। କାରଣ ଏହା ଏକ ବୈଶ୍ବିକ ଦ୍ରବ୍ୟ। ମହାମାରୀ ପାଇଁ ଟିକା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରୢାନ୍ ବିଭିନ୍ନ ରାଷ୍ଟ୍ରରେ ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇ ସଚେତନ କରାଇ ଦେଇଛନ୍ତି। ଗୋଷ୍ଠୀ ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ରୢାନ୍ କହିଛନ୍ତି।
Follow Us