ଆଜି ଶପଥ ‌ନେବେ ଦ୍ରୌପଦୀ, ପୂର୍ବାହ୍ନ ୧୦ଟା ୧୫ରେ ଶପଥ ଗ୍ରହଣ

ସଂସଦର କେନ୍ଦ୍ରୀୟ ହଲ୍‌ରେ କାର୍ଯ୍ୟକ୍ରମ, ଶପଥ ଉତ୍ସବ ପରେ ୨୧ ତୋପସଲାମୀ

ରାମନାଥଙ୍କ ସ୍ଥାନ ନେଲା ଦ୍ରୌପଦୀଙ୍କ ଫଟୋ

ନୂଆଦିଲ୍ଲୀ : ଓଡ଼ିଶାର ଆଦିବାସୀ ନେତ୍ରୀ, ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରା‌ଷ୍ଟ୍ରପତି ଭାବେ ଶପଥ ‌ନେବାକୁ ଯାଉଛନ୍ତି। ଦେଶର ସର୍ବୋଚ୍ଚ ପଦ ପାଇଁ ସେ ପଦ ଓ ଗୋପନୀୟତାର ଶପଥ ‌ଗ୍ରହଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସଂସଦର କେନ୍ଦ୍ରୀୟ ହଲ୍‌ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ। ଏହା ପରେ ‌ନୂଆ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତୋପ ସଲାମୀ ପରେ ରାଷ୍ଟ୍ରପତି ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିବେ।

ଓଡ଼ିଆ ଝିଅ ଦ୍ରୌପଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ପ୍ରବଳ ଉତ୍ସାହ ରହିଛି। ବିଶେଷ କରି ତାଙ୍କର ଜନ୍ମମାଟି ରାଇରଙ୍ଗପୁରରେ ଉତ୍ସବର ମାହୋଲ ରହିଛି।

publive-image

ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ଗାଁରୁ ଯାଇ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବାକୁ ଯାଉଥିବା ଦ୍ରୌପଦୀଙ୍କ ପାଇଁ ସାରା ଓଡ଼ିଶା ଓ ଦେଶର ଆଦିବାସୀ ସମୁଦାୟ ଆଜି ଗର୍ବିତ। ଆଜି ସେମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ସେ କେବଳ ଦେଶର ପ୍ରଥମ ଆଦିବାସୀ ମହିଳା ନୁହନ୍ତି, ସର୍ବ କନିଷ୍ଠ ରାଷ୍ଟ୍ରପତି ମଧ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଥିସହିତ ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ବ୍ୟକ୍ତିଭାବେ ସେ ରାଷ୍ଟ୍ରପତି ଆସନରେ ବସିବେ।

ନବ ନିର୍ବାଚିତ ରା‌ଷ୍ଟ୍ରପତି ଶପଥ ନେବା ପୂର୍ବରୁ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରମ୍ପରିକ ଶୋଭାଯାତ୍ରାରେ ଆସି ସଂସଦରେ ପହଞ୍ଚିବେ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ସାଂସଦ, ସରକାରଙ୍କ ବେସାମରିକ ଓ ସାମରିକ ଅଧିକାରୀମାନେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ସଂସଦର କେନ୍ଦ୍ରୀୟ ହଲ୍‌ରେ ଶପଥ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ଯାତ୍ରା କରିବେ। ସେଠାରେ ତାଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ ୬୪ ବର୍ଷୀୟ ମୁର୍ମୁ ଗତ ୨୧ ତାରିଖରେ ଅନୁଷ୍ଠିତ ଗଣତିରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ପରାଜିତ କରି ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୬୪ ପ୍ରତିଶତ ଭୋଟ ମିଳିଥିବା ବେଳେ ଯଶୋୱନ୍ତଙ୍କୁ ୩୬ ପ୍ରତିଶତ ଭୋଟ ମିଳିଥିଲା। ସେ ଏନଡିଏର ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଅନେକ ବିରୋଧୀ ଦଳ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe