Image Courtesy of India Today
ନ୍ୟୁୟର୍କ: ସେମାନେ କେବେ ଭବିଷ୍ୟତ କଥା କହନ୍ତି ନାହିଁ, ନିଜର ବିଫଳତା ପାଇଁ ସବୁବେଳେ ଅତୀତର କୌଣସି ଲୋକଙ୍କୁ ଦାୟୀ କରନ୍ତି ବୋଲି ରବିବାର ଦିନ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେବା ବେଳେ ଓଡ଼ିଶା ରେଳ ଦୁର୍ଘଟଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ବିଜେପି’କୁ ବିଦ୍ରୂପ କରି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
ରାହୁଲ୍ କହିଛନ୍ତି, ଆପଣମାନେ ସେମାନଙ୍କୁ ଯେକୌଣସି କଥା (ବିଜେପି) ପଚାରନ୍ତୁ, ସେମାନେ ଅତୀତକୁ ଚାହିଁବେ ଓ ଦୋଷ ଲଦିବେ। ଟ୍ରେନ୍ ଦୁର୍ଘଟଣା କାହିଁକି ହେଲା ବୋଲି ସେମାନଙ୍କୁ ପଚାରନ୍ତୁ। ସେମାନେ କହିବେ ୫୦ ବର୍ଷ ତଳେ କଂଗ୍ରେସ ରେଳ ଦୁର୍ଘଟଣା କରିଥିଲା। ସେମାନଙ୍କର ତ୍ବରିତ ଜବାବ ହେଉଛି ‘ଅତୀତକୁ ଚାହଁ’।
Image Courtesy of NDTVକଂଗ୍ରେସ ଶାସନ ଅମଳର ରେଳ ଦୁର୍ଘଟଣା ପ୍ରସଙ୍ଗରେ ମନ୍ତ୍ରୀଙ୍କ ନାମ ଉଲ୍ଲେଖ ନ କରି ରାହୁଲ୍ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବା ବେଳେ ଗୋଟାଏ ରେଳ ଦୁର୍ଘଟଣା ହୋଇଥିବା କଥା ମୋର ମନେପଡୁଛି। ସେତେବେଳେ କଂଗ୍ରେସ କହି ନ ଥିଲା ଯେ, ଟ୍ରେନ୍ ଦୁର୍ଘଟଣା ପାଇଁ ବ୍ରିଟିସ୍ ଦାୟୀ। କଂଗ୍ରେସ ମନ୍ତ୍ରୀ କହିଥିଲେ, ଏହା ମୋର ଉତ୍ତରଦାୟିତ୍ବ। ତେଣୁ, ମୁଁ ଇସ୍ତଫା ଦେଉଛି। ଏହାହିଁ ହେଉଛି ଆମ ଦେଶର ସମସ୍ୟା, ଆମେ ବାହାନା କରୁ ଓ ସମ୍ମୁଖୀନ ହେଉଥିବା ବାସ୍ତବତାକୁ ଗ୍ରହଣ କରୁନାହିଁ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦ୍ରୂପ କରି ରାହୁଲ୍ ଆହୁରି ମଧ୍ୟ କହିଛନ୍ତି, କେବଳ ‘ରିୟର୍-ଭ୍ୟୁ ମିରର୍’କୁ (ପଛ ଦୃଶ୍ୟ ଦେଖାଉଥିବା ଆଇନା) ଚାହିଁ ପ୍ରଧାନମନ୍ତ୍ରୀ ଭାରତୀୟ କାର୍ ଚଳାଇବାକୁ ଉଦ୍ୟମ କରୁଛନ୍ତି। ତେଣୁ, କାର୍ କାହିଁକି ଆଗକୁ ନ ଯାଇ ଦୁର୍ଘଟଣାଗ୍ରସ୍ତ ହେଉଛି, ସେ ଜାଣିପାରୁ ନାହାନ୍ତି। ‘ବିଜେପି’ ଓ ‘ଆର୍ଏସ୍ଏସ୍’ର ବୁଦ୍ଧି ମଧ୍ୟ ଏମିତିକା। ସେମାନେ ସମସ୍ତେ ଏମିତି। ଆପଣ ମନ୍ତ୍ରୀମାନଙ୍କ କଥା ଶୁଣନ୍ତୁ, ପ୍ରଧାନମନ୍ତ୍ରୀଙ୍କ କଥା ଶୁଣନ୍ତୁ। ସେମାନେ ଭବିଷ୍ୟତ କଥା କହୁଥିବା ଆପଣମାନେ ଶୁଣିପାରିବେ ନାହିଁ। ସେମାନେ କେବଳ ଅତୀତ କଥା କହନ୍ତି।
Follow Us