ଉପକୂଳ ଜଗିବ ଅତ୍ୟାଧୁନିକ ଡ୍ରୋନ୍‌

ଆଗୁଆ ପାଣିପାଗ ସୂଚନା ଦେବ ଡ୍ରୋନ୍‌

dronebelow.com

ନୂଆଦିଲ୍ଲୀ : ଭ‌ାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ୍‌ କୋଷ୍ଟ୍‌ ଗାର୍ଡ) ସମୁଦ୍ରରେ ତଦାରଖ ପାଇଁ ହେଲିକପ୍ଟର ବଦଳରେ ଅତ୍ୟାଧୁନିକ ଡ୍ରୋନ୍ ବ୍ୟବହାର କରିବ। ତଟରକ୍ଷୀ ବାହିନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟର ଉପକୂଳ ସୁରକ୍ଷା ପାଇଁ ଆସନ୍ତା ବର୍ଷରୁ ଡ୍ରୋନ ମୁତୟନ ହେବ।

ଡ୍ରୋନ୍‌ର ଉପଯୋଗ ଫଳରେ ଦୁଇଟି ଫାଇଦା ମିଳିବ। ତଟରକ୍ଷୀ ବାହିନୀକୁ ହେଲିକପ୍ଟର କିଣା ଓ ସଞ୍ଚାଳନରେ ହେଉଥିବା ବିପୁଳ ଖର୍ଚ୍ଚରୁ ମୁକ୍ତି ମିଳିବ। ଦ୍ବିତୀୟଟି ହେଲା ଡ୍ରୋନ୍‌ ତଦାରଖ ଦ୍ବାରା ଉତ୍ତମ ଫଳ ମିଳିବ। କେନ୍ଦ୍ର ସରକାର ଉପକୂଳ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦେଉଥିବାରୁ ଡ୍ରୋନ ବ୍ୟବହାର ଦ୍ବାରା ସାମୁଦ୍ରିକ ସୁରକ୍ଷା ଆହୁରି ମଜବୁତ ହେବ। ଦେଶରେ ଉପକୂଳ ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୪୨ଟି କୋଷ୍ଟାଲ୍‌ ଷ୍ଟେସନ୍‌, ୪୨ଟି ରାଡାର୍‌ ଷ୍ଟେସନ୍‌ ରହିଛି। ସରକାରଙ୍କ ଦ୍ବାରା ଆଉ ୩୮ଟି ରାଡାର ଷ୍ଟେସନ ସ୍ଥାପନ କରାଯିବା ଯୋଜନା ମଧ୍ୟ ରହିଛି। ସମୁଦ୍ର ସୀମା ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ଅତି କମ୍‌ରେ ୪୦ଟି ଜାହାଜ ତଦାରଖ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯେଉଁଥିରେ ୩୯ଟି ଡୋନିୟର୍‌ ବିମାନ,୧୯ଟି ଚେତକ ଓ ୧୨ଟି ଆଡଭାନ୍ସ ଲାଇଟ ହେଲିକପ୍ଟର ମଧ୍ୟ କାର୍ଯ୍ୟ କରୁଛନ୍ତି।

କୋଷ୍ଟ ଗାର୍ଡ ସୂତ୍ର ଅନୁସାର‌ରେ ‌ଉପକୂଳ ସୁରକ୍ଷା ପାଇଁ ଡ୍ରୋନ କିଣିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଚଳିତ ବର୍ଷ ଡ୍ରୋନଗୁଡ଼ିକୁ କିଣାଯିବ। ଡ୍ରୋନ ଆସିବା ପରେ ହେଲିକପ୍ଟର ଓ ବିମାନ ଦ୍ବାରା ଆଉ ତଦାରଖ କାର୍ଯ୍ୟ କରାଯିବ ନାହିଁ। ଏହା ସହିତ ଆଣ୍ଟି-ଡ୍ରୋନ୍‌ କୌଶଳର ମଧ୍ୟ ଉପଯୋଗ ହେବ। ଯାହା ଦ୍ବାରା ଉପଯୋଗ ହେଉଥିବା ଡ୍ରୋନ୍‌ଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୬୦ ଟି ଡ୍ରୋନ କିଣାଯିବାକୁ ଯୋଜନା ରହିଛି। ଡ୍ରୋନ୍‌ ବ୍ୟବହାର ତଟରକ୍ଷୀମାନଙ୍କ ପାଇଁ ଫଳପ୍ରଦ ହେବା ସହିତ ତଦାରଖ ସମୟକୁ ମଧ୍ୟ ବୃଦ୍ଧି କରାଯିବ। ପ୍ରତିରକ୍ଷା ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ଭାରତୀୟ କୋଷ୍ଟଗାର୍ଡକୁ ଡ୍ରୋନ୍‌ର ବ୍ୟବହାର ପାଇଁ ସୁପାରିସ କରିଥିଲେ। ଗୁଇନ୍ଦା ସୂଚନା ତଥା ସର୍ଭେଲାନ୍ସ ପାଇଁ ଡ୍ରୋନ‌୍‌ ଅପରିହାର୍ଯ୍ୟ ମନେ କରାଯାଉଥିବାବେ‌ଳେ ଭାରତୀୟ କୋଷ୍ଟ ଗାର୍ଡ କାହିଁକି ଡ୍ରୋନର ଉପଯୋଗ କରୁନାହିଁ ବୋଲି କମିଟି ପ୍ରଶ୍ନ କରିଥିଲେ। ଭାରତୀୟ କୋଷ୍ଟଗାର୍ଡ ଦ୍ବାରା ଡ୍ରୋନ୍‌ ଟେକ୍ନୋଲୋଜି ବ୍ୟବହାର ହେଲେ ଏହା ଉପକୂଳକୁ ସୁରକ୍ଷା ଦେବା ସହିତ ପ୍ରତିରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ‌କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe