Drugged dumper driver's: ଜୟପୁରରେ ନିଶାସକ୍ତ ଡମ୍ପର ଡ୍ରାଇଭରର କାରନାମା ଅକାଳରେ ଚାଲିଗଲା ୧୩ ଜୀବନ

ରାଜସ୍ଥାନର ଯୋଧପୁରରେ ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁର ଦିନକ ପରେ ଆଜି ରାଜଧାନୀ ଜୟପୁରରେ ସଡ଼କ ଦୁର୍ଘଟଣା ୧୩ ଜଣଙ୍କ ଜୀବନ ନେଇଛି। ନିଶାସକ୍ତ...

Untitled-17

ଜୟପୁର: ରାଜସ୍ଥାନର ଯୋଧପୁରରେ ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁର ଦିନକ ପରେ ଆଜି ରାଜଧାନୀ ଜୟପୁରରେ ସଡ଼କ ଦୁର୍ଘଟଣା ୧୩ ଜଣଙ୍କ ଜୀବନ ନେଇଛି। ନିଶାସକ୍ତ ଡମ୍ପର ଟ୍ରକ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଅକାଳରେ ଚାଲିଯାଇଛି ଏତେ ଲୋକଙ୍କ ଜୀବନ। ରାସ୍ତାରେ ଯାଉଥିବା ଲୋକ, କାର୍‌ ଓ ମୋଟର ସାଇକେଲ ଉପରେ ଦ୍ରୁତଗତିରେ ଡମ୍ପର ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ୩୦୦ ମିଟର ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ରାସ୍ତାରେ ଶବ ପାଲଟି ଯା‌ଇଥିଲେ ପଥିକ ଓ ଯାତ୍ରୀ। ଜୟପୁର ହରମାଡ଼ା ଥାନା ଅଧୀନ ଲୋହାମଣ୍ଡି ରୋଡ୍‌ରେ ସୋମବାର ଅପରାହ୍ଣରେ ଘଟିଥିବା ଏହି ଛାତିଥରା ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। 
ଡମ୍ପର ଟ୍ରକଟି ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଗାଡ଼ି ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଅନେକଙ୍କର ମୃତ୍ୟୁ ହୋଇଥିଲା। ଡଜ‌ନେରୁ ଅଧିକ ଆହତ ହୋଇଥିବାବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ ଲୁହା ବୋଝେଇ ଡମ୍ପର ଟ୍ରକଟି ଦ୍ରୁତଗତିରେ ଆସୁଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ସ୍ବିଫ୍ଟ କାରକୁ ଧକ୍କା ଦେଇଥିଲା। ଏଥିରେ ୫ ଜଣ ଲୋକ ବସିଥିଲେ। ଏହାପରେ ଡମ୍ପରଟି ଅନ୍ୟ ତିନିଟି ଗାଡ଼ି ଏବଂ ୧୫ରୁ ୨୦ ବାଇକ୍‌କୁ ଧକ୍କା ଦେଇଥିଲା। ରାସ୍ତାରେ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଡମ୍ପର ଟ୍ରକ ଅନ୍ୟ ଗାଡ଼ିଗୁଡ଼ିକୁ ଟାଣି ନେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କେତେକ ଲୋକଙ୍କ ଶରୀର ଖଣ୍ଡ ଖଣ୍ଡ  ହୋଇଯାଇଛି। ଏଥିପାଇଁ ଅନେକ ମ‌ୃତକଙ୍କ ପରିଚୟ ମିଳି ପାରିନାହିଁ।  

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୁଲିସ, ଏସ୍‌ଡିଆର୍‌ଏଫ୍‌ ଓ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି। ଏପର୍ଯ୍ୟନ୍ତ ୧୦ ଶବ ବାହାର କରାଯାଇପାରିଛି। ସେଗୁଡ଼ିକୁ ଏସ୍‌ଏମ୍‌ଏସ୍‌ ହସ୍ପିଟାଲ ପଠାଯାଇଛି। ଆହତମାନଙ୍କୁ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗ୍ରିନ୍‌ କରିଡର ପ୍ରସ୍ତୁତ କରି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ ନିଶାଗ୍ରସ୍ତ ଡ୍ରାଇଭରକୁ ଘଟଣାସ୍ଥଳରୁ ଧରି ପୁଲିସର ଜିମା ଦେଇଛନ୍ତି। ପୁଲିସ ଡ୍ରାଇଭରକୁ ନିଜ ହେପାଜତକୁ ନେଇଛି। ଡ୍ରାଇଭରର ନିଶା ସେବନ ସହିତ ବ୍ରେକ୍‌ ଫେଲ୍‌ ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଏବଂ ଆହତଙ୍କ ପିଛା ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe