ନଲବାରୀ: ଆସାମର ନଲବାରୀ ଜିଲ୍ଲାରେ ଜନୈକ ବର ଅତ୍ୟଧିକ ମଦ୍ୟପାନ କରି ବିବାହ ପାଇଁ ଆସି କନ୍ୟା ଘରେ ପହଞ୍ଚିବା ପରେ କନ୍ୟା ଜଣକ ତାଙ୍କ ବିବାହକୁ ବାତିଲ କରି ଦେଇଛନ୍ତି। ବର ଜଣକ ମଦ୍ୟପାନ କରି ଏପରି ନିଶାସକ୍ତ ଥିଲେ ଯେ ବିବାହର ରୀତିନୀତି ସମ୍ପାଦନ କରିବାକୁ ସୁଦ୍ଧା ସମର୍ଥ ନଥିଲେ। ନିଶାଗ୍ରସ୍ତ ବରଙ୍କ ନାମ ପ୍ରସେନଜିତ ହାଲୋଇ ବୋଲି ଜଣାପଡିଛି, ଏବଂ ସେ ନଳବାରୀ ସହରର ବାସିନ୍ଦା ଅଟନ୍ତି।
ବିବାହ ଉତ୍ସବ ଭଲରେ ଚାଲିଥିଲା। ଆମେ ବିବାହର ସମସ୍ତ ରୀତିନୀତି କରିଥିଲୁ। ଆମ ପରିବାର ଏହି ବିବାହକୁ ସମ୍ପୂର୍ଣ୍ଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ନିଶାଗ୍ରସ୍ତ ବରର କାଣ୍ଡ କାରଖାନା ଦେଖିବା ପରେ ପରିସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା ଏବଂ କନ୍ୟା ଜଣକ ସଂପୃକ୍ତ ମଦ୍ୟପ ବରକୁ ବିବାହ କରିବେ ନାହିଁ କିମ୍ବା ବେଦିରେ ବସିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ବରପକ୍ଷ ପରିବାରର ପ୍ରାୟ ୯୫ ପ୍ରତିଶତ ବରଯାତ୍ରୀ ମଦ୍ୟପାନ କରିଥିଲେ। ଆମେ ଗାଁ ବୁରହା (ଆସାମୀ ଗାଁର ନେତା)ଙ୍କ ସହ ଯୋଗାଯୋଗ କରି ପୁଲିସକୁ ଏହି ଘଟଣା ସଂପର୍କରେ ଖବର ଦେଇଥିଲୁ ବୋଲି କନ୍ୟାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି।
ସମ୍ପର୍କୀୟ ଜଣକ କହିଛନ୍ତି ଯେ ବର ଜଣକ ଏତେ ମାତ୍ରାରେ ନିଶାଗ୍ରସ୍ତ ଥିଲା ଯେ ସେ କାର୍ରୁ ଓହ୍ଲାଇ ପାରି ନଥିଲା ଏବଂ ବରର ବାପା ମଧ୍ୟ ବର ଠାରୁ ଆହୁରି ଅଧିକ ନିଶାଗ୍ରସ୍ତ ଥିଲେ। ଏହି ଅଭାବନୀୟ ଘଟଣା ପରେ କନ୍ୟାଙ୍କ ପରିବାର ଲୋକେ ବିବାହ ପାଇଁ କ୍ଷତିପୂରଣ ଦାବି କରି ନଲବାରୀ ଥାନାରେ ଅଭିଯୋଗ କରିଥିଲେ।
Follow Us