ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ, ପାୱାରଙ୍କ ବୈଠକରେ ପହଞ୍ଚିଲେ ୫୦ ବିଧାୟକ

ଜୟନ୍ତ ପାଟିଲ୍‌ ବିଧାୟକ ଦଳ ଦାୟିତ୍ବ ତୁଲାଇବେ, ୭ ଏନ୍‌ସିପି ବିଧାୟକଙ୍କ ଦାବି: ଆମକୁ ଅନ୍ଧାରରେ ରଖାଯାଇଥିଲା

ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ, ପାୱାରଙ୍କ ବୈଠକରେ ପହଞ୍ଚିଲେ ୫୦ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏବଂ ଏନ୍‌ସିପି ନେତା ଅଜିତ ପାୱାର ମିଳିତ ଭାବେ ସରକାର ଗଠନ କରିବା ସହ ରାଜ୍ୟ ରାଜନୀତିରେ ଭୂକମ୍ପ ଆସିଛି। କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହା ରାଜ୍ୟବାସୀଙ୍କ ପ୍ରତି ଏକ ବଡ଼ ପ୍ରତାରଣା ବୋଲି କୁହାଯାଇଛି । ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ଯୋଗୁଁ ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥିବାରୁ ଏନ୍‌ସିପି ସୁପ୍ରିମୋ ଶରଦ୍‌ ପାୱାରଙ୍କ ପାଇଁ ବଡ଼ ସମସ୍ୟା ଉପୁଜିଛି। ଏନ୍‌ସିପିକୁ ଏକ୍‌ଜୁଟ ରଖି ଅଜିତଙ୍କ ପରବର୍ତ୍ତୀ ଉଦ୍ୟମକୁ ପଣ୍ଡ କରିବା ପାଇଁ ଏବେ ଶରଦ୍‌ ପାୱାରଙ୍କ ଦ୍ବାରା ବଡ଼ କସରତ ଆରମ୍ଭ ହୋଇଛି। ଦଳବିରୋଧୀ କାର୍ଯ୍ୟ କରିଥିବାରୁ ଅଜିତ ପାୱାର୍‌ଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି। ଦଳର ରାଜ୍ୟ ମୁଖ୍ୟ ଜୟନ୍ତ ପାଟିଲ୍‌ ନୂଆ ବିଧାୟକ ଦଳ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବାକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି।

ଆଜି ମୁମ୍ବାଇର ୱାଇବି ଚୌହାନ୍‌ ସେଣ୍ଟରରେ ଏନ୍‌ସିପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ଯୋଗ ଦେଇଥିଲେ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲାବେଳେ ଯେଉଁ ଏନ୍‌ସିପି ବିଧାୟକ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରୁ ୭ ଜଣ ବିଧାୟକ ଏବେ ଦଳକୁ ଫେରି ଆସିଥିବା ଦାବି କରିଛନ୍ତି ଏବଂ ସେମାନେ ଶରଦ ପାୱାରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି। ନାସିକ୍‌ ଜିଲ୍ଲାର ଦୁଇ ବିଧାୟକ ଦିଲୀପ ବନକର ଏବଂ ମାନିକରାଓ କୋକେଟ୍‌ ପୃଥକ୍‌ ଭାବେ ଟ୍ବିଟ୍‌ କରି କହିଛନ୍ତି ଯେ ସେମାନଙ୍କୁ ଶପଥ ଗ୍ରହଣ ଉତ୍ସବ ସମ୍ପର୍କରେ ଅନ୍ଧାରରେ ରଖାଯାଇଥିଲା। ଉଭୟ ବିଧାୟକ କହିଛନ୍ତି ଯେ ସେମାନେ ଏନ୍‌ସିପି ସହ ଅଛନ୍ତି। ସେହିପରି ରାଜେନ୍ଦ୍ର ଶିଙ୍ଗ୍‌ନେ, ସନ୍ଦିପ କ୍ଷୀରସାଗର, ସୁନିଲ ଶେଲକେ, ସୁନୀଲ ଭୁସାରା, ନରହରି ଜିରୱାଲ୍‌ ଏବଂ ସୁନୀଲ ତିଙ୍ଗ୍‌ରେ ଶପଥ ଗ୍ରହଣ ଉତ୍ସବରୁ ଫେରିବା ପରେ ପୁନର୍ବାର ଏନ୍‌ସିପିକୁ ଫେରିଥିବା କହିଛନ୍ତି। କୋକେଟ୍‌ ଆଜି ଶରଦ ପାୱାର ଏବଂ ସୁପ୍ରିୟା ସୁଲେଙ୍କୁ ଟ୍ୟାଗ୍‌ କରିବା ସହ ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ଅଜିତ ପାୱାର ତାଙ୍କୁ କହିବାପରେ ସେ ରାଜଭବନରେ ପହଞ୍ଚିଥିଲେ। ସେ ବିଧାୟକ ଦଳ ନେତା ହୋଇଥିବାରୁ ତାଙ୍କ ନି‌ର୍ଦ୍ଦେଶ ମାନିଥିଲି। ତେବେ ସେଠାରେ କ’ଣ ହେବ ସେ ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି। ଦିଲୀପ ବନ୍‌କର ମଧ୍ୟ ସମାନ କଥା କହିଛନ୍ତି। ଶପଥ ଗ୍ରହଣ ଉତ୍ସବ ସଂକ୍ରାନ୍ତରେ ସେ ପୂର୍ବରୁ କିଛି ଅବଗତ ନଥିବା କହିଛନ୍ତି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ଆଜି ସନ୍ଧ୍ୟାରେ ଶରଦ୍‌ ପାୱାରଙ୍କୁ ଭେଟି ବିଧାୟକମାନଙ୍କୁ ଏକଜୁଟ୍‌ ରଖିବା ସଂପର୍କରେ ଆଲୋଚନା କରିଛନ୍ତି। ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଧେ ମଧ୍ୟ ପାୱାରଙ୍କୁ ଭେଟିଥିଲେ। ଶିବସେନାରେ ମଧ୍ୟ କିଛି ବିଧାୟକ କଂଗ୍ରେସ ସହ ମେଣ୍ଟ ନେଇ ଅସନ୍ତୁଷ୍ଟ ଥିବାରୁ ସେମାନଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe